କନକ ବ୍ୟୁରୋ: ଓଡ଼ିଶାରେ ମାଡ଼ ହେବ ବାତ୍ୟା ଦାନା । ଭିତରକନିକାରୁ ଧାମରା ମଧ୍ୟରେ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ, ବାତ୍ୟା ୨୪ ତାରିଖ ରାତିରୁ ୨୫ ତାରିଖର ଭୋର ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିପାରେ । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିବ। ମଝିରେ ମଝିରେ ପବନର ଝଟକା ୧୨୦ କିଲୋମିଟର ହୋଇପାରେ। ବାତ୍ୟା ପ୍ରଭାବରେ ୨୫ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।
ତେବେ ଏହାରି ଭିତରେ କେବେ ନା କେବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସିଥିବ ଭୂପୃଷ୍ଠରେ ତାଣ୍ଡବ ରଚୁଥିବା ଏହି ବାତ୍ୟା ମାନଙ୍କର ନାଁ ଏପରି କାହିଁକି ହୋଇଛି । କିଏ ବାତ୍ୟା ଗୁଡିକର ନାଁ ଏଭଳି ଦେଉଛି । ତେବେ ଆସନ୍ତୁ ଆଜି ଜାଣିବା ବାତ୍ୟା ଗୁଡିକର ଏଭଳି ନାଁ ପଛର ରହସ୍ୟ ବିଷୟରେ ।
ବିଶ୍ୱ ପାଣିପାଗ ବିଭାଗ ସଂଗଠନ ଓ ସଂଯୁକ୍ତ ରାଷ୍ଟ୍ର ଆର୍ଥିକ ଓ ସାମାଜିକ ଆୟୋଗ ମିଶି ବାତ୍ୟାର ନାମକରଣ କରିଥାନ୍ତି । ସ୍ଥଳ ଭାଗ ଆଡକୁ ମାଡି ଆସୁଥିବା ସାମୁଦ୍ରିକ ଝଡ ଦାନାର ନାଁ ଏଥର ଦେଇଛି କତାର । ଆରବି ଭାଷାରେ ଏହାର ଅର୍ଥ ହେଉଛି ଉଦାର ବା ଦୟାଳୁ। ସାମୁଦ୍ରିକ ଝଡର ଏଭଳି ନାମକରଣ ପରମ୍ପରା ବହୁ ଆଗରୁ ଚାଲିଆସିଛି । ସମୁଦ୍ରରୁ ସୃଷ୍ଟି ହେଉଥିବା ପ୍ରତି ବତ୍ୟାର କିଛି ନା କିଛି ନାଁ ରହିଥାଏ । ଆଉ ତା ପଛରେ ଏକ ରୋମାଞ୍ଚକର ଅର୍ଥ ମଧ୍ୟ ରହିଥାଏ ।
କୁହାଯାଏ ଯେ ପୂର୍ବରୁ ବତ୍ୟାର କୌଣସି ନାମକରଣ ହେଉନଥିଲା । ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶ ଅନେକ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି । ଯାହାର କୌଣସି ନାମକରଣ ନଥିଲା । ତେଣୁ ୨୦୦୦ ମସିହାରେ ବାତ୍ୟା ନାମକରଣର ପରମ୍ପରା ଆରମ୍ଭ ହୋଇଥିଲା । ପ୍ରଥମେ ଭାରତ ମହାସାଗର କ୍ଷେତ୍ରର ୮ଟି ଦେଶ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସେହି ଦେଶ ଗୁଡିକ ହେଲେ ଭାରତ, ବାଂଲାଦେଶ, ମାଲଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ଥାଇଲାଣ୍ଡ ଓ ଶ୍ରୀଲଙ୍କା ।
ସେବେଠୁ ସମୁଦ୍ରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ଆରମ୍ଭ ହୋଇଥିଲା । ଏହାପରେ ୨୦୧୮ ମସିହାରେ ଇରାନ, କତର, ସାଉଦି ଆରବ, ୟୁଏଇ ଓ ୟମେନ ମଧ୍ୟ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡକୁ ନେଇ ଏହି ୧୩ ଦେଶ ନାମକରଣ କରିଥାନ୍ତି ।
ଏହି ନାମକରଣ କରିବାର ମଧ୍ୟ ପ୍ରକ୍ରିୟା ରହିଛି । ଆଲଫାବେଟ ସିଷ୍ଟମରେ ବାତ୍ୟାର ନାମକରଣ ହୋଇଥାଏ । ଅର୍ଥାତ ଯଦି ଭାରତ ମହାସାଗରରେ ବାତ୍ୟା ଆସେ ତେବେ ଆଲଫାବେଟ ଅନୁସାରେ ଯେଉଁ ଦେଶର ନାଁ ଆଗ ଆସିବ ସେହିଁ ବାତ୍ୟାର ନାମକରଣ କରିବ । ଯେମିତିକି ନିକଟରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନୀର ନାଁ ପାକିସ୍ତାନ ଦେଇଥିଲା । ସେହି ଆଲଫାବେଟ ଅନୁସାରେ ବର୍ତ୍ତମାନ ବାତ୍ୟା ଦାନାର ନାଁ କତାର ଦେଇଛି ।