କନକ ବ୍ୟୁରୋ : ବାଇକରେ ଆସିଲେ, ଆଉ ଗୁଳି କରି ଚାଲିଗଲେ , ବ୍ରହ୍ମପୁରରେ ଘଟିଲା ବୀଭତ୍ସ ହତ୍ୟା । ଗୁଳିମାଡ଼ରେ ବ୍ରହ୍ମପୁରର ଜଣାଶୁଣା ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟିଛି । ରାତି ପ୍ରାୟ ୧୦ଟା ବେଳେ ପୀତବାସ ନିଜ ଘରକୁ ସ୍କୁଟି ଯୋଗେ ଫେରୁଥିଲେ । ଘର ପାଖରେ ଅର୍ଥାତ୍ ବୈକୁଣ୍ଠନଗରରେ ପହଞ୍ଚିଲା ବେଳକୁ ଛକି ରହିଥିଲେ ଦୁର୍ବୃତ୍ତ । ଆଉ ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ପୀତବାସଙ୍କ ଛାତିରେ ବାଜିଥିଲା ଦୁଇ ରାଉଣ୍ଡ ଗୁଳି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍କେସିଜି ମେଡିକାଲ ନିଆଯାଇଥିଲା । କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା । ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାତିରେ ପୀତବାସଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ଆଜି ଅପରାହ୍ଣରେ ତାଙ୍କର ଶେଷକୃତ୍ୟ ହୋଇଛି ।
ବ୍ରହ୍ମପୁରରେ ଘଟିଥିବା ଏଭଳି ଘଟଣା ଓଡ଼ିଶା ନୁହେଁ, ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଜଣେ ପ୍ରତିଷ୍ଠିତ ଆଇନଜୀବୀ ସାଙ୍ଗକୁ ବିଜେପି ନେତା ଥିଲେ ପୀତବାସ । ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ କିଏ ଓ କାହିଁକି କଲା ହତ୍ୟା, ତାହା ଜଣାପଡ଼ିନାହିଁ । ବୈକୁଣ୍ଠନଗର ପ୍ରଥମ ଗଳିରେ ଘଟିଛି ଗୁଳିକାଣ୍ଡ । ଯେଉଁଠି ଗୁଳିମାଡ଼ ହୋଇଛି, ସେହି ସ୍ଥାନରେ କୌଣସି ସିସିଟିଭି କ୍ୟାମେରା ନାହିଁ । କିନ୍ତୁ ପାଖରେ ଥିବା ଏକ ହୋଟେଲ, ପୀତବାସଙ୍କ ଘର ଓ ଆଖପାଖରେ କିଛି ସିସିଟିଭି କ୍ୟାମେରା ଲାଗିଛି । ଅଭିଯୁକ୍ତମାନେ କେଉଁ ରାସ୍ତାରେ ଗଲେ ଓ ଗାଡ଼ି ନମ୍ବର ଆଦି ଏସବୁ ସିସିଟିଭିରେ କଏଦ ହୋଇଥିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଏହି ହତ୍ୟାକାଣ୍ଡ ସାଧାରଣରେ ଅନେକ ପ୍ରଶ୍ନବାଚୀ ଛିଡ଼ା କରିଛି ।
ଆଇନଜୀବୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୁଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତି ରେ ମଧ୍ୟ ବରଦାସ୍ତ କରାଯିବ ନାହିଁ ।