କନକ ବ୍ୟୁରୋ : ଆମେରିକାର ନ୍ୟୁୟର୍କ ମେୟର ନିର୍ବାଚନରେ ବିଜୟୀ ହେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ସିନେ ପ୍ରଯୋଜକ ମୀରା ନାୟରଙ୍କ ପୁଅ ତଥା ୩୩ ବର୍ଷିୟ ବାମପନ୍ଥୀ ପ୍ରାର୍ଥୀ ଜୋହରାନ ମମଦାନୀ । ବାମପନ୍ଥୀ ପ୍ରାର୍ଥୀଙ୍କ ବିଜୟ ଦେଖି ହତୋତ୍ସାହିତ ହୋଇପଡିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କମ୍ୟୁନିଷ୍ଟମାନଙ୍କୁ ଶତ ପ୍ରତିଶତ ପାଗଳ କହିବାକୁ ବି ପଛାଇ ନାହାଁନ୍ତି । କହିରଖୁ କି ଜୋହରାନ କେବଳ ଟ୍ରମ୍ପଙ୍କ ବିରୋଧୀ ପାର୍ଟିର ନେତା ନୁହଁନ୍ତି ବରଂ ଟ୍ରମ୍ପଙ୍କ ବୈଚାରିକ ବିରୋଧୀ ମଧ୍ୟ । ଟ୍ରମ୍ପ ରିପବ୍ଲିକ୍ ପାର୍ଟିର ନେତା ହୋଇଥିବା ବେଳେ ଜୋହରାନ ମମଦାନୀ ଡେମୋକ୍ରାଟିକ୍ ପାର୍ଟିର ସମର୍ଥକ । ଟ୍ରମ୍ପ୍ ପୁଞ୍ଜିବାଦ ଓ ଖୋଲାବଜାରର ସମର୍ଥକ ହୋଇଥିବା ବେଳେ ଜୋହରାନ ସମାଜବାଦୀ ଓ ବାମପନ୍ଥୀ ବିଚାରଧାରାର ସମର୍ଥକ । ଏହି କାରଣରୁ ଟ୍ରମ୍ପ୍ ଏବେ ନିରାଶ ହୋଇପଡିଛନ୍ତି ।
ଜୋହରାନଙ୍କ ବିଜୟକୁ ନେଇ ବ୍ୟକ୍ତିଗତ ଆକ୍ଷେପ କରିବାକୁ ବି ପଛାଇ ନାହାଁନ୍ତି ଟ୍ରମ୍ପ । ସେ କହିଛନ୍ତି କି, ଏହା ଏକ ହାସ୍ୟସ୍ପଦ ଘଟଣା, ଜୋହରାନଙ୍କ ଚେହେରା ଭୟାନକ ଓ ତାଙ୍କ ସ୍ୱର କର୍କଶ ଏବଂ ସେ ବହୁତ ସ୍ମାର୍ଟ ନୁହଁନ୍ତି ବୋଲି ଟ୍ରମ୍ପ୍ ତାଙ୍କ ବୟାନରେ କହିଛନ୍ତି ।
ଆଶ୍ଚର୍ଯ୍ୟଜନକ ଭାବେ ଭାରତୀୟ ବଂଶୋଦ୍ଭବ ଜୋହରାନ ଜୁନ ୨୪ ତାରିଖରେ ନ୍ୟୁୟର୍କ ସହରର ମେୟର ଭାବେ ପ୍ରାଥମିକ ବିଜୟ ହାସଲ କରିଛନ୍ତି । ଏହି ରାଜନୈତିକ ବିଜୟରେ ସେ ପୂର୍ବ ରାଜ୍ୟପାଳ ଏଣ୍ଡ୍ୟୁ କୁଓମୋଙ୍କୁ ପରାଜିତ କରିଛନ୍ତି । ବାଲାଟ୍ ପେପର ଭୋଟରୁ ଜୋହରାନଙ୍କୁ ୯୦ ପ୍ରତିଶତ ଭୋଟ ମିଳିଛି । ଏବେ ବାକି ରହିଛି ଶେଷ ପର୍ଯ୍ୟାୟର ରେକର୍ଡ ଚଏସ ଭୋଟିଂ । ଏହା ଜୁଲାଇ ମାସରେ ଘୋଷଣା ହେବ । ହେଲେ ପ୍ରାଥମିକ ଭୋଟ ଗଣତି ପରେ ଜୋହରାନଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଛି ।