କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନୀତ କରିଛନ୍ତି । ଏଥିରେ ଓକିଲ ଉଜ୍ୱଲ ନିକମ୍ମ, ପୂର୍ବତନ କୂଟନୈତିଜ୍ଞ ହର୍ଷବର୍ଦ୍ଧନ ଶୃଙ୍ଗାଲ, ଇତିହାସକାର ଡାକ୍ତର ମିନାକ୍ଷୀ ଜୈନ ଓ ସମାଜିକ କର୍ମୀ ସି,ସଦାନନ୍ଦନ ଏହି ୪ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି । ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ୪ଜଣଙ୍କ ନାମ ଘୋଷଣା ହେବା ପରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଏବେ ଆସନ୍ତୁ ଜାଣିବା ଏହି ୪ ଜଣ କିଏ ?
ସଦାନନ୍ଦନ ମାଷ୍ଟର: କେରଳ ତ୍ରିଶୁର ଜିଲ୍ଲାର ଏକ ହାଇସ୍କୁଲରେ ଶିକ୍ଷକତା କରୁଥିଲେ ସଦାନନ୍ଦନ ମାଷ୍ଟର । ସେ ଏକାଧାରରେ ଜଣେ ସାମାଜିକ କର୍ମୀ ଓ ଶିକ୍ଷାବିତ୍ । ସେ ସମାଜରେ ଶିକ୍ଷାର ବିକାଶ ପାଇଁ ଅନେକ କାମ କରିଛନ୍ତି । ସଦାନନ୍ଦନ ମାଷ୍ଟର ଗୌହାଟି ବିଶ୍ୱବିଦ୍ୟାଳୟରୁ ବି.ଫାର୍ମା, କାଲିକଟ୍ ବିଶ୍ୱବିଦ୍ୟାଳୟରୁ ବି.ଏଡ୍ ଡିଗ୍ରି ହାସଲ କରିଛନ୍ତି । ଏହାସହ ସେ କେରଳ ରାଷ୍ଟ୍ରୀୟ ଶିକ୍ଷକ ସଂଘର ଉପାଧ୍ୟକ୍ଷ ଭାବେ କାମ କରୁଛନ୍ତି । ଅନ୍ୟପଟେ ସେ ଆରଏସଏସର ଜଣେ ପ୍ରଚାରକ ମଧ୍ୟ ।
ଡାକ୍ତର ମିନାକ୍ଷୀ ଜୈନ: ଡାକ୍ତର ମିନାକ୍ଷୀ ଜୈନ ଜଣେ ଜଣାଶୁଣା ଇତିହାସକାର । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଗାର୍ଗୀ କଲେଜରେ ଇତିହାସ ବିଭାଗର ଆସୋସିଏଟ୍ ପ୍ରଫେସର ଭାବେ କାମ କରିଛନ୍ତି । ଏହାସହ ସେ ନେହରୁ ମେମୋରିଆଲ ଆଣ୍ଡ ଲାଇବ୍ରେରୀର ଜଣେ ପୂର୍ବ ଫେଲୋ । ୨୦୧୪ ଡିସେମ୍ବର ମାସରେ ତାଙ୍କ ନାମ କାଉନସିଲ ଅଫ୍ ହିଷ୍ଟୋରିକାଲ ରିସର୍ଚ୍ଚରେ ସଦସ୍ୟ ଭାବେ ଚୟନ ହୋଇଥିଲେ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଯୋଗଦାନ ପାଇଁ ତାଙ୍କୁ ୨୦୨୦ରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ।
ଉଜ୍ୱଲ ନିକମ୍ମ: ଉଜ୍ୱଲ ଜୈନ ଜଣେ ବରିଷ୍ଠ ଓକିଲ । ୧୯୯୧ କଲ୍ୟାଣ ବୋମା ବିସ୍ଫୋରଣ ମାମଲାରେ ରବିନ୍ଦର ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ, ୧୯୯୭ ଗୁଲଶନ କୁମାର ହତ୍ୟାକାଣ୍ଡ, ୨୦୦୬ ପ୍ରମୋଦ ମହାଜନ ହତ୍ୟାକାଣ୍ଡ, ୨୦୦୮ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ, ୨୦୧୩ ଶକ୍ତି ମିଲ୍ସରେ ସାମୁହିକ ବଳାତ୍କାର, ୨୦୧୩ କୋପଡି ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ କରାଇବାରେ ତାଙ୍କ ଭୂମିକା ବେଶ୍ ଚର୍ଚ୍ଚାକୁ ଆସିଥିଲା ।
ହର୍ଷବର୍ଦ୍ଧନ ଶୃଙ୍ଗାଲ : ୧୯୬୨ ମସିହାରେ ମହାରାଷ୍ଟ୍ରର ମୁମ୍ବାଇରେ ହର୍ଷବର୍ଦ୍ଧନ ଶୃଙ୍ଗାଲଙ୍କ ଜନ୍ମ । ସେ ଇଣ୍ଡିଆନ ଫରେନ୍ ସର୍ଭିସର ଜଣେ ଅବସରପ୍ରାପ୍ତ କୂଟନୈତିଜ୍ଞ । ସେ ୧୯୮୪ ମସିହାରେ ଆଇଏଫଏସରେ ସାମିଲ ହୋଇ ୩୮ ବର୍ଷ ସେବା କରିଛନ୍ତି । ସେ ତାଙ୍କ ସେବା କାଳରେ ଥାଇଲାଣ୍ଡ, ବାଂଲାଦେଶ, ଆମେରିକା ଭଳି ଦେଶରେ ଭାରତ ତରଫରୁ କୂଟନୈତିଜ୍ଞ ଭାବେ କାମ କରିବା ସହ ଭାରତର ବିଦେଶ ସଚିବ ଭାବେ ମଧ୍ୟ କାମ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/13/10-2025-07-13-16-53-09.jpg)