କନକ ବ୍ୟୁରୋ: ଭାରତରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଲୋକଙ୍କ ଉପରେ ଜାରି ରହିଛି ଆକ୍ସନ୍ । ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ପାଇଁ ଗୁପ୍ତଚର ନେଟୱାର୍କ ଉପରେ ବର୍ତ୍ତମାନ କରାଯାଇଥିବା ତଦନ୍ତ ଭିତରେ ଏକ ରହସ୍ୟମୟୀ ମହିଳାଙ୍କ ନାଁ ସାମ୍ନାକୁ ଆସିଛି । ସେ ହେଉଛନ୍ତି ନୌଶାବା ଶହଜାଦ ମାସୁଦ , ଯାହାଙ୍କୁ ସମସ୍ତେ 'ମାଡାମ୍ ଏନ' ବୋଲି ଡାକୁଛନ୍ତି । ଲାହୋରରେ 'ଜୈୟାନା ଟ୍ରାଭେଲ୍ସ ଆଣ୍ଡ ଟୁରିଜିମ୍' ନାମକ ଏକ ବ୍ୟବସାୟ ଚଳାଉଛନ୍ତି ମାଡାମ୍ ଏନ୍ । ଏହି ମହିଳା ଜଣକ ଭାରତୀୟ YouTubers ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ହନି ଟ୍ରାପରେ ଫସାଇ ISI ପାଇଁ ଏକ ଗୁପ୍ତଚର ନେଟୱାର୍କ ଚଳାଇବାକୁ ଷଡ଼ଯନ୍ତ୍ର କରୁଥିଲେ ।
କିପରି ଲୋକଙ୍କୁ ଫସାଇଥିଲେ 'Madam N' ?
ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ATS ଦ୍ୱାରା କରାଯାଇଥିଲା ତଦନ୍ତ । ଏହି ତଦନ୍ତରୁ ଜଣାପଡିଛି ଯେ ନୌଶାବା ଗତ ଛଅ ମାସ ମଧ୍ୟରେ ପ୍ରାୟ ୩୦୦୦ ଭାରତୀୟ ଏବଂ ବିଦେଶରେ ରହୁଥିବା ୧୫୦୦ ଭାରତୀୟ ବଂଶୋଦ୍ଭବ ଲୋକଙ୍କୁ ପାକିସ୍ତାନରେ ସୁବିଧା ଯୋଗାଇଥିଲେ । ତାଙ୍କର ଲକ୍ଷ୍ୟ ଥିଲା ଭାରତରେ ୫୦୦ ଗୁପ୍ତଚରଙ୍କ ଏକ ନେଟୱାର୍କ ସ୍ଥାପନ କରିବା । ନୌଶାବା ଖାସ୍ କରି, ହିନ୍ଦୁ ଏବଂ ଶିଖ ତୀର୍ଥଯାତ୍ରୀଙ୍କୁ ଟାର୍ଗେଟ କରିଥିଲେ, ଯେଉଁମାନଙ୍କୁ ସେ ପାକିସ୍ତାନ ଗସ୍ତ କରିବା ବାହାନାରେ ଜାଲରେ ଫସାଉଥିଲେ । ସେ ଏହି ଲୋକମାନଙ୍କୁ ISI ଏବଂ ପାକିସ୍ତାନୀ ସେନା ଅଧିକାରୀଙ୍କ ସହିତ ପରିଚିତ କରାଉଥିଲେ, ଯାହାଦ୍ୱାରା ଭାରତର ଅନେକ ଗୁପ୍ତ ତଥ୍ୟ ଶତ୍ରୁଦେଶ ହାତରେ ଲାଗିପାରିବ ।
ନୌଶାବାଙ୍କ ଗୋଟିଏ ଇସାରାରେ ହେଉଥିଲା ଭିସା
ଦିଲ୍ଲୀରେ ଥିବା ପାକିସ୍ତାନୀ ଦୂତାବାସର ଭିସା ଡିପାର୍ଟମେଣ୍ଟରେ ନୌଶାବାଙ୍କର ଦବଦବା ଥିଲା । ଏପରିକି ସେ ଦୂତାବାସର ଫାର୍ଷ୍ଟ ସେକ୍ରେଟେରୀ (ଭିସା) ସୁହେଲ କମର ଏବଂ କାଉନ୍ସିଲର ଉମର ଶେରୟାରଙ୍କ ସହ ସିଧାସଳଖ ସମ୍ପର୍କରେ ଥିଲେ । ସୂତ୍ର ଅନୁଯାୟୀ, ନୌଶାବାଙ୍କ ସୁପାରିଶରେ ଏକ ଫୋନ୍ କଲ୍ରେ ମଧ୍ୟ ତୁରନ୍ତ ଭିସା ଦିଆଯାଉଥିଲା ।
କେବଳ ଏତିକି ନୁହେଁ, ସେ ପାକିସ୍ତାନୀ ଦୂତାବାସରେ ଭିସା ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ISI ଅଧିକାରୀ ଦାନିଶଙ୍କ ସହ ମଧ୍ୟ ଲଗାତାର ସମ୍ପର୍କରେ ଥିଲେ । ଯିଏ କି, ଜ୍ୟୋତି ମଲହୋତ୍ରାଙ୍କୁ ନିଜ ଜାଲରେ ଫସାଇ ଭାରତ ବିରୁଦ୍ଧରେ ଜାସୁସୀ କରୁଥିଲେ । ଭାରତରୁ ପାକିସ୍ତାନକୁ ପର୍ଯ୍ୟଟନ ଭିସା ପାଇଁ କୌଣସି ବ୍ୟବସ୍ଥା ନାହିଁ, ତଥାପି ନୌଶାବାଙ୍କ ସୁପାରିଶରେ କରାଯାଉଥିଲା ପର୍ଯ୍ୟଟନ ଭିସା ।
ଭାରତର ଅନେକ ସହରକୁ ଲମ୍ବିଛି ନୌଶାବାଙ୍କ ଜାସୁସୀ ଚେନ୍ !
ପାକିସ୍ତାନର ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ ସହ ମିଳିତ ଭାବରେ ଶିଖ୍ ଏବଂ ହିନ୍ଦୁ ତୀର୍ଥଯାତ୍ରୀମାନଙ୍କୁ ସୁବିଧା ଯୋଗାଉଥିଲା ନୌଶାବାଙ୍କ ଏଜେନ୍ସି । ଭାରତୀୟ ତୀର୍ଥଯାତ୍ରୀଙ୍କଠାରୁ ବିପୁଳ ପରିମାଣର ଟଙ୍କା ମଧ୍ୟ ଆଦାୟ କରୁଥିଲା । ସେ ଏହି ଟଙ୍କାକୁ ପାକିସ୍ତାନର ପ୍ରଚାର ଏବଂ ସ୍ଲିପର ସେଲ୍ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରୁଥିଲେ । ଦିଲ୍ଲୀ ସମେତ ଭାରତର ଅନେକ ସହରରେ ନୌଶାବା ତାଙ୍କର ଏଜେଣ୍ଟ ନିଯୁକ୍ତ କରିଥିଲେ । ଯେଉଁମାନେ ସୋସିଆଲ ମିଡିଆ ଏବଂ ବ୍ୟକ୍ତିଗତ ସ୍ତରରେ ତାଙ୍କ ଏଜେନ୍ସିକୁ ପ୍ରଚାର କରୁଥିଲେ ।
ତଦନ୍ତ ସମୟରେ ଧରାପଡ଼ିଥିବା ଗୁପ୍ତଚରମାନଙ୍କ ମୋବାଇଲ୍ ଫୋନ୍ରୁ ନୌଶାବାଙ୍କ ନମ୍ବର ଏବଂ ଦୁଇଟି ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମିଳିଛି । ଏହି ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ନୌଶାବା ଭାରତୀୟ ଇନ୍ଫ୍ଲୁଏନ୍ସରଙ୍କ ସହିତ କାରବାର କରୁଥିଲେ , ଏହି ଟଙ୍କା ଟ୍ରେଲ୍ଗୁଡ଼ିକର ତଦନ୍ତ ଚାଲିଛି ।