waqf dispute in odisha politics Photograph: (KanakNews)
କନକ ବ୍ୟରୋ : ବିଜେଡିରେ ବିଭୀଷଣ କିଏ? ବିଲ୍କୁ ସମର୍ଥନ ପାଇଁ କିଏ କରିଥିଲା ଡିଲ୍? ମୋହରା ସାଜିଥିଲେ କି ସସ୍ମିତ? ଦୁଇ ଦିନ ଧରି ବିଜେଡି ରାଜନୀତିରେ କମ୍ପନ । ୱାକଫ୍ ବିଲ୍ ସପକ୍ଷରେ ସମର୍ଥନ ଯୋଗାଡ ପଛରେ କିଏ ଥିଲା ନାଟର ଗୋବର୍ଦ୍ଧନ ? ସସ୍ମିତଙ୍କ କାନ୍ଧରେ କିଏ ରଖିଥିଲା ବନ୍ଧୁକ? ଏଭଳି କିଛି ପ୍ରଶ୍ନକୁ ନେଇ ବିଜେଡିର ତଳମହଲରୁ ଉପର ମହଲ ପର୍ଯ୍ୟନ୍ତ ହଇଚଇ । ଏସବୁ ଭିତରେ ନିଆଁରେ ଘିଅ ଢାଳିଛନ୍ତି ବିଜେଡିର ଭେଟେରାନ୍ । ପ୍ରଫୁଲ୍ଲଙ୍କ ପରେ ପ୍ରତାପ ଜେନା, ନବୀନଙ୍କୁ ଚିଠି ଲେଖି ନିଷ୍ପତ୍ତି ପରିବର୍ତ୍ତନ ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛନ୍ତି । ଷଡଯନ୍ତ୍ରକାରୀ କିଏ ଖୋଜିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଅନ୍ୟପଟେ ବିଲ୍କୁ ସମର୍ଥନ ପଛରେ ଡିଲ୍ ହୋଇଥିବା କହିଛନ୍ତି ଦଳର ସାଂସଦ ଦେବାଶିଷ ସାମନ୍ତରାୟ। ଏପରିକି ସସ୍ମିତଙ୍କୁ କ୍ଲିନଚିଟ୍ ଦେଇ ପ୍ରଚ୍ଛଦପଟରେ ଥିବା ପରାମର୍ଶଦାତାଙ୍କ ଆଡକୁ ଇଙ୍ଗିତ କରିଛନ୍ତି।
ୱାକଫ୍ ବିଲକୁ ସସ୍ମିତଙ୍କ ସମର୍ଥନ ଘଟଣାକୁ ନେଇ ଚିହିଁକି ଉଠିଛନ୍ତି ଦଳର ବିଧାୟକ । ନବୀନଙ୍କ ନିଷ୍ପତ୍ତି ସସ୍ମିତ କେମିତି ପରିବର୍ତ୍ତନ କଲେ ? କାହା ନିର୍ଦ୍ଦେଶରେ ତରବରିଆ ଭାବେ ବଦଳିଲା ନିଷ୍ପତ୍ତି ? ଏଥିପାଇଁ ସସ୍ମିତ ଭୁଲ ମାଗନ୍ତୁ ବୋଲି କହିଛନ୍ତି ଗଣେଶ୍ବର ବେହେରା । ବରିଷ୍ଠ ବିଧାୟକ ବଦ୍ରି ପାତ୍ର ମଧ୍ୟ ଗଣେଶ୍ବରଙ୍କ ସହ ସ୍ବର ମିଳାଇ କହିଛନ୍ତି, ସସ୍ମିତ ପାତ୍ର ଏତେବଡ଼ ସାହସ କଲେ କେମିତି? ଖେଳ ହୋଇଛି, କିନ୍ତୁ କିଏ ଓ କେଉଁଠି କରିଛି ତାହା ସାମ୍ନାକୁ ଆସୁ?
ୱାକଫ୍ ବିଲକୁ ବିରୋଧ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ନବୀନ। କିନ୍ତୁ ଭୋଟିଂର ୮ ଘଣ୍ଟା ପୂର୍ବରୁ କେମିତି ସସ୍ମିତ ବଦଳାଇଲେ ନିଷ୍ପତ୍ତି? ନିଷ୍ପତ୍ତି ବଦଳ ପଛରେ ନବୀନ ନା ଆଉ କିଏ? ନିଷ୍ପତ୍ତି ବଦଳାଇବା ପାଇଁ ଥିଲା କି କିଛି ବାଧ୍ୟବାଧ୍ୟକତା? ଯଦି ଡିଲ୍ କଥା ସତ, ତେବେ କିଏ କରିଥିଲା ଡିଲ୍ ଓ କାହିଁକି? ପ୍ରତ୍ୟେକ ବିଜେଡି କର୍ମୀ ଏବେ ଏହାର ଉତ୍ତର ଅପେକ୍ଷାରେ।
Follow Us