କନକ ବ୍ୟୁରୋ: ବିଜୁ ଜନତା ଦଳରେ ଆରମ୍ଭ ହୋଇଛି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା। ବରିଷ୍ଠ ବିଧାୟକ ପ୍ରତାପ ଦେବଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ହାଇକମାଣ୍ଡ। ସାଙ୍ଗଠନିକ ନିର୍ବାଚନ ପରେ କମିଟି ଗୁଡିକର ନବକଳେବର ହେବ। ଏହାରି ଭିତରେ ୨୭ ବର୍ଷରେ ପଦାର୍ପଣ କରିସାରିଛି ବିଜେଡି। ହେଲେ ୨୪ ନର୍ବାଚନରେ ବଡ ବିପର୍ଯ୍ୟୟ ପରେ ଦଳର ନେତୃତ୍ୱ ଓ ସଂଗଠନକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ଦଳର ଦ୍ବିତୀୟ ପୀଢ଼ିର ନେତା କିଏ? ନବୀନଙ୍କ ବିକଳ୍ପ କିଏ? କିଏ ବିଜେଡିକୁ ଆଗକୁ ନେବ? ଏଭଳି ପୁଳା ପୁଳା ପ୍ରଶ୍ନ ପ୍ରତ୍ୟେକ ଦିନ ବିଜେଡି ମହଲରେ ଉଙ୍କି ମାରୁଛି। ନବୀନ ଜାଣିଶୁଣି ଦଳରେ ବିକଳ୍ପ ସୃଷ୍ଟି କରୁହାନ୍ତି, ନା ଦଳରେ ସେଭଳି କୌଣସି ବିକଳ୍ପ ଚେହେରା ନାହାନ୍ତି । ୭୮ ବର୍ଷରେ ପାଦ ଥାପିଥିବା ନବୀନ ଦଳର ନେତୃତ୍ୱ ପାଇଁ ଆଗାମୀ ପୀଢ଼ିକୁ ବାଟ ଛାଡିବେ କି?

୨୦୧୯ ନିର୍ବାଚନ ପୂର୍ବରୁ ପ୍ରଣବ ପ୍ରକାଶ ଦାସଙ୍କୁ ସାଂଗଠନିକ ସଂପାଦକ ପଦ ଦେଇ କିମ୍ୱା ଭିକେ ପାଣ୍ଡିଆନଙ୍କୁ ଦଳରେ ମିଶାଇ, ନୂଆ ଚେହେରା ହିସାବରେ ସାମ୍ନାକୁ ଆଣିଥିଲେ ନବୀନ। ହେଲେ ୨୪ ନିର୍ବାଚନରେ ଫେଲ ମାରିଥିଲା ସୁପ୍ରିମୋଙ୍କ ଷ୍ଟ୍ରାଟେଜି। ତେଣୁ ସାଂଗଠନିକ ନିର୍ବାଚନ ପରେ ବିଜେଡି ସୁପ୍ରିମୋ କିଛି ମାଷ୍ଟର ଷ୍ଚ୍ରୋକ ମାରିବେ କି? ଦଳରେ କିନ୍ତୁ ଚର୍ଚ୍ଚା ହେଉଛି, ବିଜେଡିରେ ନିର୍ବାଚନ କେବଳ ଏକ ଔପଚାରିକତା ଏବଂ ନବୀନ ନବମ ଥର ସଭାପତି ହେବା ଚୂଡାନ୍ତ ହୋଇସାରିଛି।

ସୂଚନାଯୋଗ୍ୟ ଯେ, ପ୍ରତି ଦୁଇ ବର୍ଷରେ ଥରେ ବିଜେଡି ସାଂଗଠନିକର ନିର୍ବାଚନ ହେବା କଥା, ହେଲେ ୨୦୨୦ କୋଭିଡ ପରେ ଦଳରେ ଆଉ ନିର୍ବାଚନ ହୋଇନଥିଲା।