କନକ ବ୍ୟୁରୋ: ମହାପ୍ରଭୁଙ୍କ ନୀତିରେ ପୁଣି ମହାବିଭ୍ରାଟ । ଚୋରି ହୋଇଗଲା ଦଶମୂଳ ମୋଦକ । ଶ୍ରୀଜିଉଙ୍କୁ ଲାଗି କରାଗଲା ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ପାରମ୍ପରିକ ପଦ୍ଧତିରେ ଚାଲିଛି ଚିକିତ୍ସା । ଫୁଲୁରି ତେଲ ଲାଗି ପରେ ରାଜବୈଦ୍ୟ ଦଶମୂଳ ମୋଦକ ଗାରଦରେ ଦାଖଲ କରିବାର ପରମ୍ପରା ରହିଛି ।
ରାଜବୈଦ୍ୟ ମୋଟ ୩୧୩ଟି ମୋଦକ ଦାଖଲ କରିଥାନ୍ତି । କିନ୍ତୁ ଏଥିରୁ ୭୦ଟି ମୋଦକ କମ ଥିବା ଅଭିଯୋଗ ହୋଇଛି । ୩୧୩ ସ୍ଥାନରେ ୨୪୩ଟି ମୋଦକ ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ଅଭିଯୋଗ ଆଣିଛନ୍ତି ହଳଧର ଦାସ ମହାପାତ୍ର । ୭୦ଟି ମୋଦକ ଚୋରି ହୋଇଛି । ଏଠି ପ୍ରଶ୍ନ ଉଠୁଛି ମାରା ହୋଇଥିବା ମୋଦକ ମହାପ୍ରଭୁଙ୍କଠାରେ କିପରି ଲାଗି ହେଲା ? ଗାରଦ କାର୍ଯ୍ୟାଳୟରୁ କିଏ ଚୋରି କଲା ମୋଦକ? ସୁରକ୍ଷାକର୍ମୀ କଣ କରୁଥିଲେ ? କିଏ ଲାଗି କଲା ମାରା ମୋଦକ ? କାହିଁକି ବାରମ୍ବାର ଘଟୁଛି ବିଭ୍ରାଟ ? ଅକ୍ଷମଣିୟ ଅପରାଧର କର୍ଯ୍ୟାନୁଷ୍ଠାନ କେବେ ?