କନକ ବ୍ୟୁରୋ: ନେପାଳରେ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସୁଶୀଳା କାର୍କି । ଗତ କିଛି ଦିନ ଧରି ଚାଲିଥିବା ବିରୋଧ ପ୍ରଦର୍ଶନ ପରେ, ନୂତନ ସରକାର  ଶେଷରେ ତାଙ୍କ କାର୍ଯ୍ୟକାଳ  ସମ୍ଭାଳିଛନ୍ତି । ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ ନେପାଳରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଛି । ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ମଧ୍ୟ । ସୁଶୀଳା କାର୍କିଙ୍କ ଶପଥ ଗ୍ରହଣ ଉତ୍ସବରେ ସୁଦାନ ଗୁରୁଙ୍ଗଙ୍କ ସମେତ ଅନେକ ଯୁବ ନେତା ଉପସ୍ଥିତ ଥିଲେ ।  ନେପାଳରେ  ଅନ୍ତରୀଣ ସରକାର ଗଠନରେ ସୁଦାନ ଗୁରୁଙ୍ଗଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। GEN-Z  ବିପ୍ଳବର  ମୁଖ୍ୟ  ସୂତ୍ରଧର ହେଉଛନ୍ତି ସୁଦାନ ।  ସୁଶୀଳା କାର୍କିଙ୍କ ଶପଥ ଗ୍ରହଣ ଉତ୍ସବର ଏକ ଫଟୋରେ ଦେଖିବାକୁ ମିଳିଛି ଯେ,   ସୁଦାନ ଗୁରୁଙ୍ଗ ସୁଶୀଳା କାର୍କିଙ୍କ ପାଦ ତଳେ  ଆଣ୍ଠୁମାଡି ନମସ୍କାର ହେଉଛନ୍ତି ।  

Advertisment

ଏହି ଫଟୋରୁ ସ୍ପଷ୍ଟ  ଜଣାପଡୁଛି ଯେ ଆଗକୁ  ସୁଶୀଳା କାର୍କି ଏବଂ ସୁଦାନ ଗୁରୁ ନୂତନ ନେପାଳ ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି ।  ତେବେ  ସୁଦାନ ଗୁରୁଙ୍ଗ କିଏ ?  ଯାହାଙ୍କୁ କି GEN-Z  ବିପ୍ଳବର  ମୁଖ୍ୟ  ନାୟକ ବୋଲି କୁହାଯାଉଛି  ।  ନେପାଳ ଯୁବପିଢିଙ୍କ ମଙ୍ଗ ଧରିଛନ୍ତି ।  ଯାହାଙ୍କ ଇସାରାରେ ଯୁବପିଢି ଦଙ୍ଗା କଲେ ଆଉ  ସରକାର ପରିବର୍ତ୍ତନ କରିଦେଲେ ।  ପୁର୍ବ  ସରକାର  ଓୋଲି ଦେଶ ଛାଡି ପଳାୟନ କଲେ ।  ସୁପ୍ରିମ୍‌କୋର୍ଟ ରେ ନିଆଁ ଜଳିଲା,  ସାରା  ବିଶ୍ବରେ ଚର୍ଚ୍ଚା ସାଉଁଟିଥିଲା ନେପାଳ ଦଙ୍ଗା  । ନିଜ ମନମୁତାବକ ସରକାର ଗଠନ କଲେ  । ତେବେ ଆସନ୍ତୁ ଜାଣିବା କିଏ ଏହି ମହାନାୟକ  ନା ଖଳନାୟକ ଯାହାଙ୍କ ନେତୃତ୍ବ ରାତାରାତି ସରକାର ବଦଳିଲା ।    

ସୁଦାନ ଗୁରୁଙ୍ଗ ହେଉଛନ୍ତି ଜଣେ ଯୁବ ନେତା । ଆଜି ତାଙ୍କୁ ନେପାଳର ଯୁବପିଢ଼ିଙ୍କ ସ୍ୱର ବୋଲି  କୁହାଯାଉଛି ।  ସୁଦାନ ଗୁରୁଙ୍ଗ ଏବଂ ତାଙ୍କ ସମର୍ଥକମାନେ ନେପାଳରେ କେପି ଓଲି ସରକାରଙ୍କୁ କ୍ଷମତାରୁ ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପ୍ରକୃତରେ, ଏହି ପ୍ରତିବାଦ ଓଲି ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଆରମ୍ଭ ହୋଇଥିଲା ଯେଉଁଥିରେ ସରକାର ସୋସିଆଲ ମିଡିଆକୁ ନିଷିଦ୍ଧ କରିଥିଲେ। ଏହି ନିଷ୍ପତ୍ତି ଆସିବା ମାତ୍ରେ, ହାମି ନେପାଳ ନାମକ ଏକ ସଂଗଠନ ଯୁବକମାନଙ୍କୁ ସଂଗଠିତ କରିବା ଆରମ୍ଭ କରିଥିଲା । ୩୬ ବର୍ଷୀୟ ସୁଦାନ ଗୁରୁଙ୍ଗ ଏହି ସଂଗଠନର ନେତା । ସୁଦାନ ଗୁରୁଙ୍ଗ ଏହି ସୁଯୋଗ ନେଇ ଯୁବକମାନଙ୍କୁ ତାଙ୍କର ବାର୍ତ୍ତା ଦେଇଥିଲେ ଏବଂ ତା’ପରେ ଯାହା ଘଟିଥିଲା ତାହା ସମଗ୍ର ବିଶ୍ୱ ଦେଖୁଛି ।

ନେପାଳରେ ସୁଦାନଙ୍କ ଦବ୍‌ଦବା 
ନିଜକୁ ଜଣେ କର୍ମୀ ବୋଲି କୁହନ୍ତି । ସୁଦାନ ଗୁରୁଙ୍ଗଙ୍କ ଏନଜିଓ ୨୦୨୦ ମସିହାରେ ପଞ୍ଜିକୃତ ହୋଇଥିଲା। ତାଙ୍କୁ ଏଥିରେ ଜଣେ ସାମାଜିକ କର୍ମୀ ଭାବରେ ବର୍ଣ୍ଣନା କରାଯାଇଛି । ଗୁରୁଙ୍ଗଙ୍କ ସଂଗଠନ ନେପାଳରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ସମସ୍ତ ପ୍ରକାରର ଅସୁବିଧାରେ ସାହାଯ୍ୟ କରିବାକୁ ଦାବି କରେ । ଗୁରୁଙ୍ଗଙ୍କ ସଂଗଠନ ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ, ଏହି କାରଣରୁ ତାଙ୍କ ଗୋଟିଏ ଡାକରେ ହଜାର ହଜାର ଯୁବକ ରାସ୍ତାକୁ ବାହାରି ଆସିଥିଲେ । ଆଉ ସୁଶୀଳା କାର୍କିଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଗଲା । 
ନେପାଳରେ ସୁଶୀଳା କାର୍କିଙ୍କୁ କ୍ଷମତାର କମାଣ୍ଡ ମିଳିବା ନେଇ ଭାରତ ମଧ୍ୟ ଖୁସି ପ୍ରକାଶ କରିଛି ।  ତେବେ ସୁଶୀଳା କାର୍କି ପ୍ରଧାନମନ୍ତ୍ରୀ ହେବା ପରେ ଆଶା କରାଯାଉଛି   ନେପାଳରେ ବହୁ ଦିନ ଧରି ଚାଲିଥିବା ରାଜନୈତିକ ଅନିଶ୍ଚିତତାର ଅନ୍ତ ଘଟିଛି ।