କନକ ବ୍ୟୁରୋ: ମାହାଙ୍ଗା  ଥାନା ଆଗରେ ଆତ୍ମହୁତି ଘଟଣା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହାରିଛନ୍ତି ପୀଡିତା ରଶ୍ମିତା ଦାସ। ଗତ ଶୁକ୍ରବାର ମାହାଙ୍ଗା ଥାନା ଆଗରେ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଖରତାଙ୍ଗ ଗାଁର ରଶ୍ମିତା। ତେବେ ରଶ୍ମିତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? କାହିଁକି ଥାନା ଆଗରେ ଆତ୍ମହୁତି ଉଦ୍ୟମ କରିଥିଲେ ମହିଳା? ସେ ଯେଉଁ ଥାନା ଅଧିକାରୀଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ, ତାଙ୍କ ବିରୋଧରେ କାହିଁକି ହୋଇନି କୌଣସି କାର୍ଯ୍ୟାନୁଷ୍ଠାନ? ରଶ୍ମିତାଙ୍କ ମୃତ୍ୟୁ ଘଟଣାରେ ମାହାଙ୍ଗା ଥାନା ଅଧିକାରୀଙ୍କ ଭୂମିକାକୁ ନେଇ ଏମିତି ଅନେକ ପ୍ରଶ୍ନ ଉଠିଛି।

Advertisment
  • ପୁଣି ଚର୍ଚ୍ଚାରେ ମାହାଙ୍ଗା ଥାନା
  • ମହିଳାଙ୍କ ଜୀବନର ମୂଲ୍ୟ ଦେବ କିଏ?

ସ୍ୱାମୀଙ୍କୁ ମିଛ ମାମଲାରେ ପୋଲିସ ଫସେଇ ଦେଇଥିବା ଅଭିଯୋଗରେ ଚରମ ନିଷ୍ପତି ନେଇଥିବା ମହିଳାଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ଠିଆ କରିଛି। ଯାହାର ଉତ୍ତର ମାହାଙ୍ଗା ଥାନା ପୁଲିସ ଠାରୁ ଅପେକ୍ଷା କରିଛନ୍ତି ମୃତଙ୍କ ପରିବାର। ଚୋରି ଅଭିଯୋଗରେ ରାତି ଅଧରେ ସ୍ୱାମୀଙ୍କୁ ଘରୁ ଉଠାଇ ନେଇଥିଲା ପୁଲିସ। ସ୍ୱାମୀଙ୍କୁ ଭେଟିବାକୁ ମାହାଙ୍ଗା ଥାନାକୁ ଯାଇଥିଲେ ଖର୍ତ୍ତାଙ୍ଗ ଗାଁର ରଶ୍ମିତା ଦାସ। ମାହାଙ୍ଗା ଥାନା ଅଧିକାରୀ ତାଙ୍କ କଥା ଶୁଣିବା ବଦଳରେ ଦୁର୍ବ୍ୟବହାର କରିଥିଲେ! ସ୍ୱାମୀ ଶଙ୍କର ଦାସଙ୍କୁ ମିଥ୍ୟା ଚୋରି ମାମଲାରେ ଫସେଇ, ମାନସିକ ନିର୍ଯାତନା ଦେଇ ପରୋକ୍ଷାରେ ଆତ୍ମାହୁତି ଦେବାକୁ ବାଧ୍ୟ କରିଥିବା ମୃତ୍ୟୁପୂର୍ବରୁ କହିଛନ୍ତି ରଶ୍ମିତା।

ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ରଶ୍ମିତାଙ୍କୁ ଥାନା ଆଗରୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ହୋଇଛି। ରଶ୍ମିତାଙ୍କ ମୃତ୍ୟୁ ପାଇଁ ମାହାଙ୍ଗା ଆଇଆଇସି ବିଜୟ ମଲ୍ଲଙ୍କୁ ଦାୟୀ କରିଛନ୍ତି ସ୍ୱାମୀ ଶଙ୍କର ଦାସ । ଅନ୍ୟପଟେ ମହିଳାଙ୍କ ମୃତ୍ୟୁ ପୂର୍ବର ବୟାନକୁ ଆଧାର କରି ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ। ସେପଟେ ମାହାଙ୍ଗା ପୁଲିସ କୌଣସି ପ୍ରତିକ୍ରିୟା ରଖିନାହିଁ। କଟକ ଗ୍ରାମାଞ୍ଚଳ ଏସପି ଜଣେ ଅତିରିକ୍ତ ଏସପିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।