କନକ ବ୍ୟୁରୋ: ରାଜ୍ୟରେ ସଙ୍କଟରେ ଗଜରାଜ । ରେଢାଖୋଲ ବନଖଣ୍ଡରେ କଂରେଟ ଲାଗି ତିନି ତିନିଟି ହାତୀର ଜୀବନ ଯାଇଛି । ଏଥିପାଇଁ ବନକର୍ମଚାରୀଙ୍କୁ ଦାୟୀ କରିଛନ୍ତି ପିସିସିଏଫ । ଲଗାତାର କିଛି ଦିନହେଲା ଯେଭଳି ହାତୀମୃତ୍ୟୁ ବଢିଚାଲିଛି ସେ ନେଇ ସମସ୍ତଙ୍କ ଚିନ୍ତା ବଢିଛି । ବନ କର୍ମଚାରୀଙ୍କ ଦାୟିତ୍ବ, ସେମାନେ ପାଟ୍ରୋଲିଂ କରି ବିଦ୍ୟୁତ ତାର ସଂଯୋଗ ବିଚ୍ଛିନ୍ନ କରିବା କଥା କିନ୍ତୁ ନିଜ ଦାୟିତ୍ୱରେ ଅବହେଳା ଯୋଗୁଁ ନିରୀହ ହାତୀଙ୍କ ଜୀବନ ଯାଉଛି ।
ନିଜ ଘରେ ବିପଦ ମୁହଁରେ ଗଜରାଜ । କେଉଁଠି କରେଣ୍ଟ ଝଟକାର ଭୟ ତ କେଉଁଠି ଶିକାରୀଙ୍କ ଗୁଳିର ଭୟ । ଜଙ୍ଗଲରେ ବୁଲୁଥିବା ସମୟରେ ପୁଣି ଚାଲିଯାଇଛି ତିନି ହାତୀଙ୍କ ଜୀବନ । ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ଘୁସରମାଳ ସେକ୍ସନ ଲାଣ୍ଡିମାଳ ଘୁସୁରାମାଳ ଜଙ୍ଗଲ ମଝିରେ ଦୁଇ ମାଈ ହାତୀ ସହ ଛୁଆ ହାତୀର ମୃତ୍ୟୁ ହେଇଛି । କରେଣ୍ଟ ଖାଇ ଜଙ୍ଗଲରେ ପଡିଛନ୍ତି ତିନି ହାତୀ । ବାରହା ଶିକାର ପାଇଁ ବିଛା ହୋଇଥିବା ବିଦ୍ୟୁତ ତାର ଲାଗି ଯାଇଛି ୩ ହାତୀଙ୍କ ଜୀବନ । ବଡ କଥା ହେଲା, ତଦନ୍ତ ହେବା ପୂର୍ବରୁ ଚାଲାକ ହେଇ ଶିକାରୀ ହଟେଇଦେଇଛନ୍ତି ତାର ବାଡ଼ । ତେବେ ହାତୀ ମୃତ୍ୟୁ ପଛରେ ଦାୟୀ କିଏ? ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି । ଏଭଳି ଅଘଟଣ ପାଇଁ ବନକର୍ମଚାରୀଙ୍କୁ ଦାୟୀ କରିଛନ୍ତି ପିସିସିଏଫ୍।
ମୃତ୍ୟୁ ଯେମିତି ହାତୀଙ୍କ ପିଛା ଛାଡୁନି। ଲଗାତାର ୧୦ ବର୍ଷ ଧରି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ବଢ଼ି ଚାଲିଛି। ଥରେ ନଜର ପକାନ୍ତୁ ୧୦ ବର୍ଷ ଭିତରେ ବିଦ୍ୟୁତ ସଂସ୍ପଶରେ ଆସି କେତେ ହାତୀଙ୍କ ଜୀବନ ଯାଉଛି.......
ବର୍ଷ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ସଂଖ୍ୟା
୨୦୧୩-୨୦୧୪ ୬
୨୦୧୪-୨୦୧୫ ୪
୨୦୧୫-୨୦୧୬ ୧୪
୨୦୧୬ -୨୦୧୭ ୬
୨୦୧୭-୨୦୧୮ ୯
୨୦୧୮-୨୦୧୯ ୨୪
୨୦୧୯-୨୦୨୦ ୭
୨୦୨୦-୨୦୨୧ ୮
୨୦୨୧-୨୦୨୨ ୧୩
୨୦୨୨-୨୦୨୩ ୨୬
୨୦୨୩-୨୦୨୪ ୧୬
୨୦୨୪-୨୦୨୫ ୯
ହାତୀ ମୃତ୍ୟୁ ରୋକିବାକୁ ବିଦ୍ୟୁତ୍ ଆବଣ୍ଟନ କମ୍ପାନୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ରୂପରେଖ ପ୍ରସ୍ତୁତ ସହ ଏସଓପି ଜାରି କରିଛନ୍ତି ସରକାର । କମ୍ପାନୀ ମାନଙ୍କୁ ହାତୀ କରିଡର ସ୍ଥାନମାନଙ୍କରେ ବିଦ୍ୟୁତ ସରବରାହ ଉପରେ ନଜର ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ହେଲେ ପାଳନ ହେଉନି କିଛି ନିର୍ଦ୍ଦେଶ । ରାଜ୍ୟରେ ୧୦ ବର୍ଷ ତଳେ ବର୍ଷକୁ ୪ରୁ ୬ଟି ହାତୀ ମରୁଥିଲେ। ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳିଗଲାଣି। ଲଗାତାର ୪ର୍ଥ ବର୍ଷ ପାଇଁ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଦୁଇ ଅଙ୍କରେ ପହଞ୍ଚିବାକୁ ଯାଉଛି । ମନ୍ତ୍ରୀ କହୁଛନ୍ତି କାର୍ଯ୍ୟାନୁଷ୍ଠାନ ହେବ । ପ୍ରଶ୍ନ ଉଠୁଛି ବନ କର୍ମଚାରୀଙ୍କ ଚରମ ଅବହେଳା ପାଇଁ କି ଦଣ୍ଡ ଦିଆଯିବ?
ବିଦ୍ୟୁତର ଆକସ୍ମିକ ଆଘାତ ଓ ସୁଚିନ୍ତିତ ଷଡ଼ଯନ୍ତ୍ର ଦ୍ୱାରା ୧୧ ବର୍ଷ ମଧ୍ୟରେ ୧୪୨ଟି ହାତୀଙ୍କ ଜୀବନ ଯାଇସାରିଲାଣି । ୯୦ଟି ହାତୀଙ୍କ ମୃତ୍ୟୁର କାରଣ ଏ ଯାଏଁ ଜଣାପଡ଼ି ବି ନାହିଁ ।