କନକ ବ୍ୟୁରୋ: କୋଟି କୋଟି ଟଙ୍କାର ସମ୍ପତିକୁ ୨୪ ଲକ୍ଷ ରେ କବାଡ଼ି ଖାନାକୁ ବିକିଦେଲେ । ଆଦିବାସୀ ଅଚଂଳରେ ଗମନା ଗମନର ସୁବିଧା ମିଳିବ, ଲୋକେ ଆଉ ଯାତାୟାତରେ ଅସୁବିଧା ଭୋଗିବେ ନାହିଁ । ଏହାକୁ ଆଖି ଆଗରେ ରଖି ତତକାଳୀନ ସରକାର ଜୟପୁରରେ ୨୦ଟି ସିଟିବସ ପିପି ମୋଡ଼ରେ ଚଳାଚଳ ପାଇଁ ୨୦୧୭ ଠିକା ସଂସ୍ଥାକୁ ଦେଇଥିଲେ । ହେଲେ ଶୁଭାରମ୍ଭର ବର୍ଷେ ନ ପୁରୁଣୁ ଏହି ବସ ଯେତିକି ଗଡ଼ିଲାନି ତା ଠାରୁ ଅଧିକା ଝୁଂଟିଲା । ଶେଷରେ ସରକାର ଏହାକୁ ମାତ୍ର ୨୪ ଲକ୍ଷ ଟଙ୍କାରେ କବାଡ଼ି ବାଲାକୁ ବିକିଦେଲେ ।
ଜୟପୁର ସିଟି ବସ ସେବାର ଦୁର୍ଦ୍ଦଶା । ୨୦୧୭ରେ ଜୟପୁରର ଦଶହରା ପଡିଆରେ ଜାକଜମକରେ ଆରମ୍ଭ ହେଲା ବସ ସେବା । ଆଉ ମାତ୍ର ୬ ବର୍ଷ ପରେ ୨୦୨୪ରେ କବାଡିଆକୁ ବିକ୍ରି ହୋଇଛି । ଆଜି ଏହି ସବୁ ବସକୁ ଗୋଟି ଗୋଟି କରି କଟାଯାଉଛି । କେଉଁଠି ଉପର ଛାତ ଉଡ଼ି ଗଲାଣି ତ ଆଉ କେଉଁଠି ବସ ଭିତରେ ବସିବା ପାଇଁ ରହିଥିବା ସିଟି ସବୁ ବସ ରୁ ଅଲଗା ହୋଇ ଗଦା ହୋଇ ପଡ଼ିଛି । କବାଡ଼ି ବାଲା ତାକୁ ଟିକି ଟିକି କରି କାଟିବାରେ ବ୍ୟସ୍ତ। ଅନ୍ୟ ପଟେ ଦାମିକିଆ ଇଂଜିନକୁ ଗୋଟିଏ ସ୍ଥାନରେ ଗଦା କରୁଛନ୍ତି । ବସକୁ କାଟିବା କାମରେ ଲାଗିଥିବା ଲୋକେ କୋଲକାତାରୁ ଆସିଛନ୍ତି ।
ଜୟପୁର ରୁ ସୁନାବେଡ଼ା ଓ ଜୟପୁରରୁ କୋଟପାଡ଼, କୋରାପୁଟ କୁ ଯାତାୟତ କରିବା ପାଇଁ ଅରବାନ ଟ୍ରାନ୍ସପୋର୍ଟ ଗଠନ କରାଯାଇ ଏହି ସିଟିବସ ଚାଲିଥିଲା । ପ୍ରଥମ ପର୍ୟ୍ୟାୟରେ ଜୟପୁରକୁ ୨୦ ଟି ବସ ଆସିଥିଲା ପରେ ଆଉ ୪୦ଟି ବସ ଆସିବାର ଥିଲା । ସମୁଦାୟ ୬୦ ଟି ବସ ଆସିବାର ଥିଲା । ଏହି ଯୋଜନାର ଶୁଭାରମ୍ଭ ପାଇଁ ଯେତିକି ଆଡ଼ମ୍ୱର କରାଯାଇଥିଲା ସେତିକି ଆଡ଼ମ୍ବରରେ କିନ୍ତୁ ବସ ଗଡ଼ିଲାନି । ଟଣାଓଟରା ଓ ବିବାଦ ଭିତରେ ବସସେବା ଦେଢବର୍ଷ ଚାଲିଲା । ଏହାପରେ ୨୦୨୦ରୁ ବସ ସେବା ଠପ ହୋଇଯାଇଥିଲା । ଆଉ ୪ ବର୍ଷ ବସ ପଡି ପଡି ଖତ ଖାଇବା ପରେ କବାଡିଙ୍କୁ ବିକିଦେଇଛନ୍ତି ସରକାର ।
ଜୟପୁରରେ ସିଟି ବସ ଯେତିକି ଗଡ଼ିଲାନି ସେତିକି ଚର୍ଚ୍ଚାରେ ରହିଲା । ଆଉ ଏବେ ଖଣ୍ଡ ଖଣ୍ଡ ହୋଇ କବାଡ଼ି ଖାନାକୁ ଯାଇଛି । ଗଦା ହୋଇ ରହିଥିବା ବସ କୁ କାଟିବା ଯେତିକି ଦୁଃଖ ଲାଗୁନି ତା ଠାରୁ ଅଧିକ କଷ୍ଟ ଦେଇଛି ବସକୁ ନେଇ ସ୍ପପ୍ନ ଦେଖିଥିବା ସହରବାସୀଙ୍କୁ । ପ୍ରଶ୍ନ ଉଠୁଛି, କୋଟି କୋଟି ଟଙ୍କା ପାଣିରେ ପଡିଲା କାହିଁକି? ଏଥିପାଇଁ କିଏ ଦାୟୀ?