କନକ ବ୍ୟୁରୋ:  ସୁନ୍ଦରଗଡ଼ରେ ଚୋରା କୋଇଲା ଖଣି ନେଇ କନକ ନ୍ୟୁଜ୍ ଅନୁସନ୍ଧାନ ଓ ଖବର ପ୍ରସାରଣ କରିବା ପରେ ପ୍ରଶାସନର ଚେତା ପଶିଥିଲା । ତଦନ୍ତ ଆରମ୍ଭ ହେଲା, ଚଢ଼ାଉ ହେଲା । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବି ପ୍ରଶାସନ ପକ୍ଷରୁ କୁହାଗଲା । ହେଲେ ଚଢ଼ାଉ ଓ କୋଇଲା ଜବତ ତ ମଜହେଉଛି ସତ। ହେଲେ ଏସବୁ ପଛରେ ମୁଖ୍ୟ କାର୍ପଟରଦାର ରହସ୍ୟ ଘେରରେ । କୋଇଲା ମାଫିଆଙ୍କୁ କାହିଁକି ଦିଆଯାଇଛି ସୁରକ୍ଷା? କୋଇଲା ଲୁଟ୍ ଘଟଣା ପଦାକୁ ଆସିବାର ୧୬ ଦିନ ବିତିଲାଣରି । ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ମାଫିଆଙ୍କ ୧୦ ଜଣିଆ ତାଲିକା ଧରି କାହିଁକି ଚୁପ୍ ବସିଛି ? କିଛି ଦିନ ତଳେ ୪ ଶ୍ରମିକ ଶ୍ରେଣୀର ଯୁବକଙ୍କୁ କୋଇଲା ଚୋରି ଅଭିଯୋଗରେ ଗିରଫ କରାଯାଇଛି । ହେଲେ ବଡ଼ କାର୍ପଟଦାରଙ୍କୁ କାହିଁକି ଛାଡ଼ି ଦିଆଯାଉଛି ? ସେମାନଙ୍କୁ ସୁରକ୍ଷା ଦେଉଛି କିଏ ? ଫଳରେ ଖଣି, ବନବିଭାଗ, ପୁଲିସ୍ ଓ ପ୍ରଶାସନର ଭୂମିକା ଏବେ ସନ୍ଦେହ ଘେରକୁ ଚାଲିଆସିଛି ।

Advertisment

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଥମେ ୱାସେରି ଓ ଏକ କାରଖାନାରେ ଚଢ଼ାଉ ହୋଇଥିଲା । ହେଲେ ସେଠାରୁ ମିଳିତ ଟିମ୍ ଖାଲି ହାତରେ ଫେରିଥିଲା । ପରେ ୱାସେରି ବାହାରେ ଜଙ୍ଗଲରେ ହଜାର ହଜାର ଟନ୍ ବେଆଇନ୍ କୋଇଲା ଠାବ ହୋଇଥିଲା । ଏପ୍ରିଲ ୫ରେ ସମସ୍ତ କୋଇଲା ୱାସେରୀ ଓ କୋଇଲା ଡିପୋକୁ ଯାଞ୍ଚ କରି ଷ୍ଟକର ହିସାବ ପାଇଁ ଉପଜିଲ୍ଲାପାଳ, ଖଣି ଉପନିର୍ଦ୍ଦେଶକ ଓ ହେମଗିରି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁନ୍ଦରଗଡ଼ ଜିଲ୍ଲାପାଳ । ଖଣି ମନ୍ତ୍ରୀ ମଧ୍ୟ ସୁନ୍ଦରଗଡ଼ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ୫ ତାରିଖରେ ରାଉରକେଲା କନିଷ୍ଠ ଖଣି ଅଧିକାରୀ ହେମଗିରି ଥାନାରେ ଅଜଣା ମାଫିଆଙ୍କ ନାଁରେ ଏତଲା ଦେଇଥିଲେ । ଏହାମଧ୍ୟରେ ଖଣିଲୁଟ୍ କରିଥିବା ୧୦ ଜଣ ମାଫିଆଙ୍କୁ ଚିହ୍ନଟ କରି ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ପ୍ରଶାସନ । ତାଲିକାରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି, ତେଣୁ ସେମାନଙ୍କୁ ଧରିବା ପାଇଁ ତତ୍ପରତା ପ୍ରକାଶ ପାଉନଥିବା ସନ୍ଦେହ ଉପୁଜିଛି ।