କନକ ବ୍ୟୁରୋ: ବିଜୁ ଜନତା ଦଳ ଆଜି ନିଜର ପ୍ରତିଷ୍ଠା ଦିବସ ପାଳନ କରିଛି । ୨୮ ବର୍ଷରେ ପଦାର୍ପଣ କରିଛି ବିଜେଡି । ତେବେ ଦୀର୍ଘ ଦିନ ଧରି ଶାସକ ଦଳ ଭାବେ ରହିଆସିଥିବା ବିଜେଡି, ଏଥର ପ୍ରଥମ ଥର ପାଇଁ ବିରୋଧୀ ଆସନରେ ରହିଥିବାବେଳେ ନିଜର ପ୍ରତିଷ୍ଠା ଦିବସ ପାଳନ କରିଛି । ଆଉ ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ଅଭିଭାଷଣ ଦେଇ, କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ।
ନବୀନ ନିଜ ଉତ୍ତରାଧିକାରୀ ପ୍ରସଙ୍ଗରେ ଆଜି ଗଣମାଧ୍ୟମକୁ ଉତ୍ତର ଦେଇଥିଲେ । ଆଉ କହିଥିଲେ ଯେ, ମୁଁ ବହୁତ ଲମ୍ବା ସମୟ ଧରି ଅଛି । ଆଉ ଉତ୍ତରାଧିକାରୀ ନେଇ ମୁଁ ଚିନ୍ତା କରିନି । ତେବେ ନବୀନଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ବଢିଛି । କାହିଁକି କିଛି ଦିନ ତଳେ ହିଁ ନବୀନ ଏକ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ପାଣ୍ଡିଆନ୍ ତାଙ୍କର ଉତ୍ତରାଧିକାରୀ ନୁହଁନ୍ତି । ଓଡ଼ିଶାବାସୀ ହିଁ ତାଙ୍କର ଉତ୍ତରାଧିକାରୀ ଚୟନ କରିବେ । ତେବେ କିଛି ଦିନର ଅନ୍ତରାୟ ପରେ ନବୀନ ତାଙ୍କ ମତ କାହିଁକି ବଦଳାଇଲେ, ଏବେ ତାକୁ ନେଇ ରାଜନୈତିକ କରିଡରରେ ଆରମ୍ଭ ହେଇଛି ଆଲୋଚନା ।