କନକ ବ୍ୟୁରୋ: ହରିୟାଣା ଓ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଧିରେ ଧିରେ ସାମ୍ନାକୁ ଆସିଗଲାଣି । ହରିୟାଣାରେ ବିଜେପି ହ୍ୟାଟ୍ରିକ ଆଡକୁ ଗତି କରୁଥିବା ବେଳେ ଜାମ୍ମୁ କାଶ୍ମୀରରେ କଂଗ୍ରେସ-ଏନସି ଗଠବନ୍ଧନ ବହୁମତ ହାସଲ କରୁଥିବାର ନଜର ଆସୁଛି । ଏହାରି ଭିତରେ ଜାମ୍ମୁ-କାଶ୍ମୀରରେ ଆପ ବି ନିଜ ଖାତା ଖୋଲିଛି । ଦଳର ୩୬ ବର୍ଷିୟ ପ୍ରାର୍ଥୀ ମେହରାଜ ମଲ୍ଲିକ ଡୋଡା ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪ ହଜାର ୫୩୮ରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ୧୦ ବର୍ଷ ପୂର୍ବେ ୨୦୧୪ରେ ଏହି ସିଟରେ ବିଜେପିର କବଜା ଥିଲା, ଏହା ପୂର୍ବରୁ ଏହି ସିଟ କଂଗ୍ରେସ ହାତରେ ଥିଲା ।

Advertisment

ମେହରାଜ ମଲ୍ଲିକ ଚଳିତ ବର୍ଷ ଆରମ୍ଭରେ ଉଧ୍ୟମପୁର ନିର୍ବାଚନ କ୍ଷେତ୍ରରୁ ଲୋକସଭା ନିର୍ବାଚନ ବି ଲଢିଥିଲେ । ହେଲେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହାପରେ ବିଧାନସଭା ନିର୍ବାଚନରେ ଆପ ୯୦ ଆସନରୁ ମାତ୍ର ୭ଟି ଆସନରେ ପ୍ରାର୍ଥୀ ଦେଇଥିଲା । ଦିଲ୍ଲୀ, ପଞ୍ଜାବରେ ସତ୍ତାରେ ଥିବା ଆପ ଦଳ ଗତ ବର୍ଷ ଜାତୀୟ ଦଳ ଭାବେ ମାନ୍ୟତା ପାଇଥିଲା । ଗୁଜରାଟ ଓ ଗୋଆରେ ମଧ୍ୟ ଆପର ବିଧାୟକ ରହିଥିବା ବେଳେ ଏବେ ଜମ୍ମୁରେ ବି ଖାତା ଖୋଲିଦେଇଛି ଆପ୍ । 

ମେହରାଜ ମଲ୍ଲିକ ଡୋଡା କ୍ଷେତ୍ରରେ ଜଣେ ଲୋକପ୍ରିୟ ନେତା । ସେ ଲୋକଙ୍କ ପାଖକୁ ଯାଇ ନିଜ ସଂଗଠନକୁ ମଜବୁତ କରିପାରିଛନ୍ତି । ୨୦୨୧ରେ ସେ ଡିଡିସି ନିର୍ବାଚନ ଜିତିଥିଲେ । ମେହରାଜ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ୨୦୨୨ରେ ଡୋଡାରେ ଏକ ବିଶାଳ ରାଲିର ଆୟୋଜନ କରିଥିଲେ । ଅନେକ ସମୟରେ ସେ ସ୍ଥାନୀୟ ପ୍ରଶାସନର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇ ପ୍ରଦର୍ଶନ କରୁଥିବା ବି ନଜର ଆସିଛନ୍ତି । ସେ ନିଜ ଶପଥପାଠରେ ଦର୍ଶାଇଛନ୍ତି ଯେ ତାଙ୍କର ୨୯ ହଜାର ଟଙ୍କାର ସମ୍ପତ୍ତି, ୨ଲକ୍ଷ ଟଙ୍କାର ଋଣ ରହିଛି । 

ମେହରାଜଙ୍କ ବିଜୟ ପରେ ଆପ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଭିଡିଓ କଲ କରି ଶୁଭେଚ୍ଛା ଜଣାଇଥିଲେ । ଏହାସହ ସେ କହିଥିଲେ କି ଏବେ ୫ ରାଜ୍ୟରେ ତାଙ୍କର ବିଧାୟକ ଅଛନ୍ତି । ଏହି ସମୟରେ ମେହରାଜ ବି କେଜ୍ରିୱାଲଙ୍କୁ ଆଗାମୀ ୧୦ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିଛନ୍ତି ।