କନକ ବ୍ୟୁରୋ : ସାରା ବିଶ୍ୱର ନଜର ଏବେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ରହସ୍ୟମୟୀ ଝିଅ କିମ୍ ଜୁ ଏ'ଙ୍କ ଉପରେ । ମାତ୍ର ୧୧-୧୨ ବର୍ଷ ବୟସରେ ସେ ଯେଭଳି ଭାବେ ରାଜନୈତିକ ଏବଂ ସାମରିକ କାର୍ଯ୍ୟକ୍ରମରେ ନିଜ ବାପାଙ୍କ ସହିତ ନଜର ଆସୁଛନ୍ତି, ତାହା ତାଙ୍କୁ କିମ୍ ପରିବାରର ପରବର୍ତ୍ତୀ ଉତ୍ତରାଧିକାରୀ ଭାବେ ସଙ୍କେତ ଦେଉଛି ।
କିଏ ଏହି କିମ୍ ଜୁ ଏ ?
କିମ୍ ଜୁ ଏ ହେଉଛନ୍ତି ଉତ୍ତର କୋରିଆର ସୁପ୍ରିମ୍ ଲିଡର କିମ୍ ଜୋଙ୍ଗ ଉନ ଏବଂ ତାଙ୍କ ପତ୍ନୀ ରି ସୋଲ ଜୁ'ଙ୍କ ଝିଅ । ତାଙ୍କର ବୟସ ପ୍ରାୟ ୧୨ ବର୍ଷ । ନଭେମ୍ବର ୨୦୨୨ରେ ପ୍ରଥମ ଥର ପାଇଁ ସେ ନିଜ ବାପାଙ୍କ ସହ ଏକ ମିସାଇଲ୍ ପରୀକ୍ଷଣ ସମୟରେ ନଜର ଆସିଥିଲେ, ଯାହା ସମଗ୍ର ବିଶ୍ୱକୁ ଚକିତ କରିଥିଲା । ସେବେଠାରୁ ସେ କ୍ରମାଗତ ଭାବେ ସାମରିକ ପରେଡ୍, ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକ୍ରମରେ କିମ୍ ଜୋଙ୍ଗ ଉନଙ୍କ ସହିତ ଦେଖାଯାଉଛନ୍ତି । ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସିର ସୂଚନା ଅନୁଯାୟୀ, କିମ୍ ଜୁ ଏ'ଙ୍କୁ ହିଁ କିମ୍ ଜୋଙ୍ଗ ଉନଙ୍କ ସବୁଠାରୁ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ଦେଖାଯାଉଛି । ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ତାଙ୍କୁ "ମହାନ ମାର୍ଗଦର୍ଶକ" ଭଳି ଶକ୍ତିଶାଳୀ ଉପାଧିରେ ସମ୍ବୋଧନ କରିଛି । ଯାହା ସାଧାରଣତଃ ଦେଶର ସର୍ବୋଚ୍ଚ ନେତା କିମ୍ବା ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ବ୍ୟବହୃତ ହୁଏ । ତାଙ୍କର ଅଧିକାଂଶ ସାର୍ବଜନୀନ ଉପସ୍ଥିତି ସାମରିକ କାର୍ଯ୍ୟକ୍ରମ ସହ ଜଡ଼ିତ । ଏହା ଦର୍ଶାଉଛି ଯେ ତାଙ୍କୁ ସେନାର ଭବିଷ୍ୟତର କମାଣ୍ଡର ଭାବରେ ପ୍ରସ୍ତୁତ କରାଯାଉଛି ।
ପୂର୍ବରୁ କିମ୍ ଜୋଙ୍ଗ ଉନଙ୍କ ଶକ୍ତିଶାଳୀ ଭଉଣୀ କିମ୍ ୟୋ ଜୋଙ୍ଗଙ୍କୁ ଉତ୍ତରାଧିକାରୀ ଭାବେ ଦେଖାଯାଉଥିଲା । କିନ୍ତୁ ଜୁ ଏ'ଙ୍କ ଆବିର୍ଭାବ ପରେ ତାଙ୍କ ଭୂମିକା ଧୀରେ ଧୀରେ କମୁଥିବା ବିଶ୍ଳେଷକମାନେ ମତ ଦେଉଛନ୍ତି । ଉତ୍ତର କୋରିଆ ଏକ ପୁରୁଷପ୍ରଧାନ ସମାଜ ହୋଇଥିବାରୁ ଜଣେ ମହିଳାଙ୍କୁ ନେତା ଭାବେ ଗ୍ରହଣ କରିବା କେତେଦୂର ସମ୍ଭବ, ତାହା ଏକ ବଡ଼ ପ୍ରଶ୍ନ । ଏହା ବ୍ୟତୀତ, କିମ୍ ଜୁ ଏ'ଙ୍କ କମ୍ ବୟସ ଏବଂ ଅଭିଜ୍ଞତାର ଅଭାବ ମଧ୍ୟ ଏକ ପ୍ରତିବନ୍ଧକ ହୋଇପାରେ । ସୂଚନା ଅନୁସାରେ , ଯଦି କିମ୍ ଜୋଙ୍ଗ ଉନଙ୍କର ଅକାଳରେ କିଛି ହୁଏ, ତେବେ ତାଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ କିଛି ସମୟ ପାଇଁ ରାଜପ୍ରତିନିଧି ଭାବେ ଶାସନ କରିପାରନ୍ତି ।
କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ନେଇ ବାରମ୍ବାର ଖବର ଆସୁଥିବାରୁ, ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା ଅନୁମାନ କରାଯାଉଛି । ଯଦି କିମ୍ ଜୁ ଏ' ପ୍ରକୃତରେ ପରବର୍ତ୍ତୀ ଶାସକ ହୁଅନ୍ତି, ତେବେ ଏହା କିମ୍ ପରିବାରର ଚତୁର୍ଥ ପିଢ଼ିର ଶାସନ ହେବ ଏବଂ ବିଶ୍ୱକୁ ଏକ ଅପ୍ରତ୍ୟାଶିତ ଏବଂ ରହସ୍ୟମୟ ନେତୃତ୍ୱର ସାମ୍ନା କରିବାକୁ ପଡ଼ିବ ।