କନକ ବ୍ୟୁରୋ:  ମାଲକାନଗିରି ଜିଲ୍ଲା ମାଥିଲି ପୁଲିସ୍‌ ନାଁରେ ସାଂଘାତିକ ଅଭିଯୋଗ । ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ସମାନ ନାଁର ଅନ୍ୟ ଜଣେ ଗାଁ ଲୋକଙ୍କୁ ବାନ୍ଧି ଆଣିଲା ପୁଲିସ । ଆଉ ମାଲକାନଗିରି ଦୌରାଜଜଙ୍କ ଅଦାଲତ ସମ୍ପୃକ୍ତ ଲୋକଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ବି ପୁଲିସ୍‌ ତାଙ୍କୁ ହଇରାଣ କରୁଥିବା ଆସିଛି ଅଭିଯୋଗ । ଯାହାକୁ ନେଇ ଓଡ଼ିଶା ମାନବାଧିକାର କମିସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ।  

Advertisment

 କିଛି ଦୋଷ ନକରି ୩ ମାସ ଜେଲ୍‌ ଦଣ୍ଡ ଭୋଗି ଫେରିଛନ୍ତି ବଳରାମ । ୨୦୦୫ରେ ଜମିଜମା ଗଣ୍ଡଗୋଳରେ ମାଥିଲି ଥାନାରେ ୬୯ ଜଣଙ୍କ ନାଁରେ ସଂଘବଦ୍ଧ ଆକ୍ରମଣ ମାମଲା ରୁଜୁ ହୋଇଥିଲା । ଆଉ ଅଭିଯୁକ୍ତଙ୍କ ତାଲିକାରେ ଥିଲା ମେକା ପଞ୍ଚାୟତ ଦାମାପଡ଼ା ଗାଁର ବଳରାମ ପୂଜାରୀଙ୍କ ନାମ । ହେଲେ ଅସଲ ବଳରାମଙ୍କୁ ନପାଇ ୨୦୨୩ ଡିସେମ୍ବର ୨୭ରେ ପଙ୍ଗାମ ପଞ୍ଚାୟତ କୁପଲିଗୁଡ଼ା ଗାଁର ବଳରାମ ପୂଜାରୀଙ୍କୁ ବାନ୍ଧିନେଲା ମାଥିଲି ପୁଲିସ। ମାଲକାନଗିରି ଉପକାରଗାରରେ ୩ ମାସ ଜେଲ୍‌ ଦଣ୍ଡ ଭୋଗିବା ପରେ ମାଲକାନଗିରି ଜିଲ୍ଲା ଓ ଦୌରାଜଜ ତାଙ୍କୁ ମେ’ ମାସରେ ନିର୍ଦ୍ଦୋଷର ଖଲାସ କରିଛନ୍ତି ।

 ପୂର୍ବରୁ ବି ବଳରାମ ନାଁରେ ହିମାଂଶୁ ପୂଜାରୀ ନାମକ ବ୍ୟକ୍ତିଙ୍କୁ ମାଥିଲି ପୁଲିସ୍‌ ଗିରଫ କରିଥିଲା । ଏବେ ବଳରାମ ନିର୍ଦ୍ଦୋଷରେ ଖଲାସ ହେବା ପରେ ବି ପୁଲିସ୍‌ ବାରମ୍ବାର ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି । ନ୍ୟାୟ ପାଇଁ ଓଡ଼ିଶା ମାନବାଧିକାର କମିସନରଙ୍କ ଦ୍ବାରସ୍ଥ ହୋଇଛନ୍ତି ବଳରାମ ।