କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ବ୍ୟାଟିଂ । ଆଇପିଏଲରେ ଦମଦାର ଫର୍ମ । ଟି-୨୦ରେ ଜବରଦସ୍ତ କମବ୍ୟାକ । ଏହାପରେ ବି ଅବହେଳିତ ଶ୍ରେୟସ ଆୟର । ଏସିଆ କପରେ ଶ୍ରେୟାସ ଆୟର ଚୟନ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦମଦାର ଫର୍ମରେ ଥାଇ ବି ତାଙ୍କୁ କାହିଁକି ଦଳରେ ସାମିଲ କରାଗଲାନି ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କୁହାଯାଉଛି ବିସିସିଆଇ ଶ୍ରେୟସ ଆୟରଙ୍କୁ ଅବହେଳା କରୁଛି । ଫର୍ମରେ ଥାଇ ଜଣେ ଖେଳାଳିଙ୍କୁ ଡ୍ରପ କରିବା ବିସିସିଆଇକୁ ପ୍ରେଶ୍ନ ଘେରରେ ଛିଡ଼ା କରିଛି । କାରଣ ଏସିଆ କପ ପାଇଁ ଭାରତୀୟ ଟିମରେ ସବୁଠାରୁ ଅଧିକ ଦାବିଦାର ଥିଲେ ଏହି ଖେଳାଳି ।
ଆଇପିଏଲ ହେଉ କି ଚାମ୍ପିୟନ୍ସ ଟ୍ରଫି ନିଜ ଦମଦାର ଫର୍ମରେ ଦଳକୁ ସଫଳ କରାଇଥିବା ଖେଳାଳି ହେଉଛନ୍ତି ଶ୍ରେୟସ । ସେ ନିଜ ଦମରେ ୧୧ ବର୍ଷ ପରେ ପଞ୍ଜାବକୁ ଫାଇନାଲରେ ପହଞ୍ଚାଇଥିଲେ । ଗତ ଆଇପିଏଲରେ ସେ ପଞ୍ଜାବ ପାଇଁ ଖେଳି ୬୦୪ ରନ କରି ସର୍ବାଧିକ ରନ କରିଥିବା ଖେଳାଳିଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଥିଲେ । ସେହିପରି ଚାମ୍ପିୟନ୍ସ ଟ୍ରଫିରେ ତାଙ୍କ ପ୍ରଦର୍ଶନ ପାଇଁ ଭାରତ ଚାମ୍ପିୟନ ହୋଇଥିଲା । କାରଣ ଏହି ଟୁର୍ଣ୍ଣାମେଣ୍ଟରେ ସେ ଭାରତ ପାଇଁ ସର୍ବାଧିକ ରନ କରିଥିଲେ । ହେଲେ ଏହାପରେ ବି ସେ କାହିଁକି ଡ୍ରପ ହେଲେ? କଣ ବିସିସିଆଇ ତାଙ୍କୁ ଅଣଦେଖା କରୁଛି? ନା ଶ୍ରେୟସଙ୍କ ଉପରେ କାହାର ରାଗ ରହିଛି? ଏମିତି ଅନେକ ପ୍ରଶ୍ନ ଏବେ ଫ୍ୟାନ୍ସଙ୍କ ମନରେ ।
ତେବେ ଏହି ଘଟଣାକୁ ନେଇ କିଛି ପୂର୍ବତନ କ୍ରିକେଟର ବି ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବତନ ଭାରତୀୟ ଦଳର ଓପନର କୃଷ୍ଣମାଚାରୀ ଶ୍ରୀକାନ୍ତ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ' ଶ୍ରେୟସ ଆୟରଙ୍କ ପ୍ରତି ପକ୍ଷପାତିତା ହୋଇଛି । ସେ କେଉଁ ଭୁଲ କରିଥିଲେ? ୟୁଏଇରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିରେ ଶ୍ରେୟସ ଆୟର ବହୁତ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କ ପ୍ରଦର୍ଶନକୁ କାହିଁକି ବିଚାରକୁ ନିଆଗଲା ନାହିଁ?'
ଶ୍ରୀକାନ୍ତ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଟାର୍ଗେଟ କରି କହିଥିଲେ, ଶ୍ରେୟସ ଆୟରଙ୍କ ସ୍ଥାନ କେଉଁଠି? ସିଧା ପଞ୍ଚମ ସ୍ଥାନରେ । ଷଷ୍ଠ ନମ୍ବରରେ ହାର୍ଦ୍ଦିକ ପାଣ୍ଡ୍ୟା, ସାତ ନମ୍ବରରେ ଅକ୍ଷର ପଟେଲ ଏବଂ ଅଷ୍ଟମ ନମ୍ବରରେ ଜିତେଶ ଶର୍ମା । ଦଳର ସନ୍ତୁଳନ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି । ଶୁଭମନ ଗିଲ୍ ଆଇପିଏଲ୍ ଏବଂ ଚାମ୍ପିଅନ୍ସ ଟ୍ରଫିରେ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ, ତାଙ୍କୁ ସୁଯୋଗ ଦିଆଯାଇପାରେ । କିନ୍ତୁ ଶ୍ରେୟସଙ୍କୁ ଅଣଦେଖା କରିବା ଭୁଲ ।
ସେହିପରି ଟିମ୍ ଇଣ୍ଡିଆର ଅଭିଜ୍ଞ ଅଲରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ୱିନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, 'ତୁମେ ଶ୍ରେୟସଙ୍କ ରେକର୍ଡ ଦେଖିଛ, ଦଳରୁ ବାହାରେ ରହିବା ପରେ ମଧ୍ୟ ସେ ଚାମ୍ପିଅନ୍ସ ଟ୍ରଫିରେ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟ ଜିତାଇଥିଲେ । କୋଲକାତାକୁ ଆଇପିଏଲ ଜିତାଇବା ସତ୍ତ୍ୱେ, ତାଙ୍କୁ ନିଲାମ ପାଇଁ ପଠାଯାଇଥିଲା । ଆୟର ୧୧ ବର୍ଷ ପରେ ପଞ୍ଜାବ କିଙ୍ଗ୍ସକୁ ଫାଇନାଲରେ ପହଞ୍ଚାଇଥିଲେ ଏବଂ ବହୁତ ଉନ୍ନତି କରିଥିଲେ । ମୁଁ ତାଙ୍କ ପାଇଁ ବହୁତ ଦୁଃଖିତ।'
ଟିମ୍ ଇଣ୍ଡିଆର ସହାୟକ ପ୍ରଶିକ୍ଷକ ଥିବା ଅଭିଷେକ ନାୟାର ଶ୍ରେୟସଙ୍କୁ ଦଳରେ ନ ରଖିବା ଉପରେ କହିଥିଲେ, 'ଶ୍ରେୟସ ଏତେ ଦୃଢ଼ ଦାବିଦାର, ତାଙ୍କୁ କାହିଁକି ରିଜର୍ଭରେ ରଖାଯାଇ ନଥିଲା?' ମୁଁ ପ୍ରକୃତରେ ବୁଝିପାରୁନାହିଁ ଯେ ଶ୍ରେୟସ ଆୟରଙ୍କୁ ୨୦ ଜଣିଆ ଦଳରେ ସାମିଲ ନକରିବାର ଯଥାର୍ଥତା କ'ଣ ହୋଇପାରେ?
ଦିନିକିଆ କ୍ରିକେଟରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ଶ୍ରେୟସ ଆୟରଙ୍କ ଟି-୨୦ ରେକର୍ଡ ବହୁତ ସାଧାରଣ । ସେ ଏପର୍ୟ୍ୟନ୍ତ ୫୧ ମ୍ୟାଚ୍ରେ ୩୦.୬୬ ଆଭରେଜରେ ୧୧୦୪ ରନ୍ କରିଛନ୍ତି । ଯେଉଁଥିରେ ତାଙ୍କ ନାମରେ ୮ଟି ଅର୍ଦ୍ଧଶତକ ଅଛି । ଆଇପିଏଲରେ ଶ୍ରେୟସଙ୍କ କ୍ୟାରିଅର ମଧ୍ୟ ଭଲ ରହିଛି । ୨୦୧୫ରେ ଡେବ୍ୟୁ କରିବା ପରଠାରୁ ସେ ୧୩୩ ମ୍ୟାଚ୍ରେ ୩୪.୨୨ ଆଭରେଜରେ ୩୭୩୧ ରନ୍ କରିଛନ୍ତି । କିନ୍ତୁ, ଗତ ସିଜିନରେ ସେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଶ୍ରେୟସ ୧୭ ମ୍ୟାଚ୍ରେ ୫୦.୩୩ ଆଭରେଜରେ ୬୦୪ ରନ୍ କରିଥିଲେ ।
ଏଥର ଏସିଆ କପ୍ ୟୁଏଇରେ ଟି-୨୦ ଫର୍ମାଟରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହା ୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି । ଯେଉଁଥିରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ସୂର୍ୟ୍ୟକୁମାର ଯାଦବ, ସେହିପରି ଉପ ଅଧିନାୟକ ରହିଛନ୍ତି ଶୁବମନ ଗିଲ ।