କନକ ବ୍ୟୁରୋ : ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଆଦାନୀ ଜମି କଣିବାକୁ ନେଇ ବିବାଦ ଉଗ୍ର ରୂପ ନେଲାଣି । ଯାହାକୁ ନେଇ ରାଜନୈତିକ ବୟାନବାଜି ଥମୁନି । ଏହି ଘଟଣାରେ ସାମ୍ନାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି- ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେଡି । ମୌଳିକ ପ୍ରସଙ୍ଗକୁ ଦିଗ ହୀନ କରିବା ସହ ବିଜେଡି ଦେବାଳିଆ ହୋଇଯାଇଛି ।
ଲଗାତର ଏହି ପ୍ରସଙ୍ଗରେ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଆସୁଛି ବିଜେଡି । କେଉଁ ଉଦ୍ଦେଶ୍ୟରେ ଆଦାନୀ ଜମି କିଣିଛି, ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଛନ୍ତି ବଲାଙ୍ଗିର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ । ହାତ ଦେବା ଆଗରୁ ଆଙ୍ଗୁଳି ଦିଆଯାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ବିଧାୟକ ତାରା ବାହିନିପତି କହିଛନ୍ତି ଗନ୍ଧମାର୍ଦ୍ଦନ ଆଦାନୀକୁ ଦେଲେ ଓଡ଼ିଶାବାସୀ କ୍ଷମା ଦେବେନି । ଏହାକୁ ବିଧାନସଭାରେ ଦଳ ପ୍ରସଙ୍ଗ କରିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ । ସେପଟେ କଳିକେଶଙ୍କ ପ୍ରଶ୍ନର ଉତ୍ତର ରଖିଛି ବିଜେପି । ବିଜେଡି ଓ କିଛି ଲୋକ ପ୍ରହେଳିକା ସୃଷ୍ଟି କରୁଥିବା କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଅକ୍ଟୋବର ୧୯ରେ ଓଡ଼ିଶା ବାୟୋ ଡ଼ାଇଭର୍ସଟି ବୋର୍ଡ ଚିଠି କରିସାରିଛି । ଗନ୍ଧମାର୍ଦ୍ଧନ ପର୍ବତରେ ଅନେକ ଔଷଧୀୟ ବୃକ୍ଷ ରହିଛି । ୨୪ବର୍ଷରେ ପୂର୍ବ ସରକାର ଯାହା କରିଛନ୍ତି ବିଜେଡି ତାର ଉତ୍ତର ଦେଇନଥିବା ସେ ପାଲଟା ଅଭିଯୋଗ କରିଛନ୍ତି ।
ବଲାଙ୍ଗିର ବେଲପାହାଡ ଦୁଡୁକାମାଲ ଗାଁରେ ୫ଟି କମ୍ପାନି ଶାଗ ମାଛ ଦରରେ ଜମି କିଣିଥିବା ଅଭିଯୋଗ ହୋଇଛି । ସେଠାରେ ଥିବା ଗ୍ରାଫାଇଟ ଓ ଅର୍ଭ ଖନନ ପାଇଁ ଏହି କଂପାନି ଗୁଡ଼ିକ ଆଦିବାସୀଙ୍କୁ ପ୍ରଲୋଭିତ କରୁଥିଲେ । ଏବେ ସେମାନେ ଆଦାନୀକୁ ଜମି ବିକ୍ରି କରୁଥିବା ନେଇ ଜାଣିବା ପରେ ତାତି ଉଠିଛନ୍ତି ଗାଁ ଲୋକ । ମରିବୁ ପଛେ ଜମି ଛାଡ଼ିବୁ ନାହିଁ ବୋଲି ସେମାନେ ସିଧାସିଧା କହିଛନ୍ତି ।