କନକ ବ୍ୟୁରୋ : ସରିଗଲା ବିଧାନସଭା, ଅଧୁରା ରହିଗଲା ଆଲୋଚନା । ଯେଉଁ ପ୍ରସଙ୍ଗ ଗୃହରେ ଆଲୋଚନା ହେବା କଥା ତାହାକୁ ନେଇ ବାହାରେ ମୁହାଁମୁହିଁ ହେଲେ ଶାସକ-ବିରୋଧୀ । ବିରୋଧୀଙ୍କ ବିରୋଧ ଓ ଶାସକ ଦଳର ଜିଦ୍ ଭିତରେ ବଳି ପଡ଼ିଗଲା ଓଡ଼ିଶାର ସ୍ବାର୍ଥ । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଅନେକ ତମ୍ବିତୋଫାନ କଲେ ବିରୋଧୀ । କିଏ କହିଲା ବଳଙ୍ଗାରୁ ବାଲେଶ୍ବର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବୁ ଏବଂ ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ସ୍ବର ଉଠାଇବୁ । ଆଉ କିଏ କହିଲା ସାର ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବୁ ।
କେବଳ ଏତିକି ନୁହେଁ ରଥଯାତ୍ରା ଅଘଟଣ, ଚାଷୀ, ମହିଳା, ଯୁବବର୍ଗଙ୍କ ସମସ୍ୟାକୁ ନେଇ ବଡ଼ ବିତର୍କ କରିବାକୁ ଆହ୍ବାନ ଦେଇଥିଲେ କଂଗ୍ରେସ ଓ ବିଜେଡି । ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା କହିଥିଲା ଶାସକ ଦଳ । ହେଲେ ବିଧାନସଭା ଆରମ୍ଭରୁ ଆଲୋଚନା ବଦଳରେ ହୋହଲ୍ଲା ହୋଇଥିଲା । ଯାହାର ପରିଣାମ ବାରମ୍ବାର ମୁଲତବି ଓ ଗୃହରେ ଅଚଳାବସ୍ଥା ଭିତରେ ଦିନକ ପୂର୍ବରୁ ସରିଯାଇଛି ବିଧାନସଭାର ମୌସୁମୀ ଅଧିବେଶନ ।
ମୌସୁମୀ ଅଧିବେଶନର ଅବଧି ଥିଲା ମାତ୍ର ୭ ଦିନ । ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗରେ ଆଲୋଚନା ପାଇଁ ଏ ଅବଧି କମ୍ ଥିଲେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରିଥାନ୍ତା । ହେଲେ ବିରୋଧୀଙ୍କ ଜିଦ୍ ଶାସକ ଦଳକୁ ସୁହାଇଲା । ପ୍ରଶ୍ନ ଉଠୁଛି, ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଓଡ଼ିଶାର ସ୍ବାର୍ଥ ଗୁରୁତ୍ବ ବହନ କରେ ନାହିଁ କି ? ଆଲୋଚନା ବଦଳରେ ହଲ୍ଲାବୋଲ କରି କାହାକୁ ମିଳିଲା ଫାଇଦା ? ୬ ଦିନ ଗୃହର ଅଚଳାବସ୍ଥା ଭିତରେ ଶେଷ ଦିନରେ ମାତ୍ର ୩୦ ମିନିଟ୍ ପାଇଁ ଚାଲିଥିଲା ପ୍ରଶ୍ନକାଳ । ଏଥିରେ ସ୍ପଷ୍ଟ ହେଉଛି, ବିଧାନସଭା ଆଲୋଚନା କାହା ପାଇଁ କେତେ ଗୁରୁତ୍ବ ବହନ କରେ ।