ଚାଷୀଙ୍କ ବୀମା ରାଶି ନେଉଛି କିଏ? Photograph: (KanakNews )
କନକ ବ୍ୟୁରୋ: ଅଦିନିଆ ବର୍ଷାରେ ହେକ୍ଟର ହେକ୍ଟର ଫସଲ କ୍ଷତି ପରେ ଏବେ ଚାଷୀଙ୍କ ଚିନ୍ତା ବଢିଛି। ସରକାର ଫସଲ ବୀମା ଉପରେ ଗୁରୁତ୍ୱ ଦେଉଛନ୍ତି। ଗୋଟେ ପଟେ ଚାଷୀମାନେ ଫସଲ କ୍ଷତି ପାଇଁ ଟଙ୍କାଟିଏ ସହାୟତା ପାଇନଥିବା ବେଳେ ଅନ୍ୟପଟେ କୋଟି କୋଟି ଟଙ୍କାର ଫସଲ ବୀମା ରାଶି ନେଇଛି ବୀମା କମ୍ପାନି। ଏବେ ପ୍ରଶ୍ନ ପଚାରୁଛି ଚାଷୀ, ଆମେ କାହିଁକି କରିବୁ ଫସଲ ବୀମା?
- ଚାଷୀଙ୍କ ବୀମା ରାଶି ନେଉଛି କିଏ?
- କାହା ପାଇଁ ଫସଲ ବୀମା?
ଚାଷୀ ବାନ୍ଧିବ ବୀମା ରାଶି। ପଇସା ନେବ ବୀମା କମ୍ପାନି। କିନ୍ତୁ ଫସଲ କ୍ଷୟକ୍ଷତି ହେଲେ ଆକଳନ କରିବେ ସରକାର। ପ୍ରାକୃତିକ ବିପର୍ଯ୍ୟୟରେ ୬୦ ଭାଗରୁ ଅଧିକ ଫସଲ ନଷ୍ଟ ହେଲେ ମିଳିବ ସହାୟତା ରାଶି । ଅର୍ଥାତ୍ କ୍ଷୟକ୍ଷତି ଆକଳନ ପରେ ଚାଷୀଙ୍କୁ ଟଙ୍କା ଦେବେ ସରକାର। କିଛି ବର୍ଷ ହେଲାଣି, ଗୋଟିଏ ବି ଚାଷୀ ବୀମା ଟଙ୍କା ପାଇନାହାନ୍ତି। ସେପଟେ କିନ୍ତୁ ବୀମା କମ୍ପାନି କୋଟି କୋଟି ଟଙ୍କା ଚାଷୀଙ୍କ ଠାରୁ ଲୁଟି ନେଇଥିବା ଚାଷୀ ଅଭିଯୋଗ କରିଛନ୍ତି।
ଚଳିତ ଖରିଫ ଋତୁରେ କୋରାପୁଟ ଜିଲ୍ଳାରେ ୩୨ ହଜାର ୧୯୮ ଚାଷୀ ଧାନ ଚାଷ ପାଇଁ ପଞ୍ଜୀକରଣ କରିଥିଲେ। ୨୧ ହଜାର ୩୨ ହେକ୍ଟର ଜମିରେ ହୋଇଥିଲା ଚାଷ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଳିତ ବର୍ଷ ଚାଷୀଙ୍କୁ ହେକ୍ଟର ପିଛା ଟଙ୍କାଟିଏ ଦେବାକୁ ପଡୁଛି। ତା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଉ ୫୦୦ ଟଙ୍କା ଯୋଡ଼ି ଚାଷୀଙ୍କୁ ବୀମା ଭୁକ୍ତ କରାଉଛନ୍ତି। ଚଳିତ ଖରିଫରେ ଚାଷୀଙ୍କ ନାଁରେ ବୀମା କରିବାକୁ କମ୍ପାନି ମୋଟ ୮୪୧. ୬୨ ଲକ୍ଷ ଟଙ୍କା ନେଇଛି। ସେହି ଅନୁପାତରେ ବୀମା କମ୍ପାନୀ ଗତ ୫ ବର୍ଷରେ ହଜାର ହଜାର କୋଟି ଚାଷୀଙ୍କ ଠାରୁ ନେଇଛି । କିନ୍ତୁ ଗଲା ୫ ବର୍ଷ ଭିତରେ କାହାରିକୁ ଟଙ୍କାଟିଏ ବି ଫସଲ କ୍ଷୟକ୍ଷତିରେ ମିଳିନାହିଁ । ଚାଷୀମାନେ ଯେଉଁ ବ୍ୟାଙ୍କର ସହାୟତା ନେଲେ ମଧ୍ୟ ଏହି ବୀମା ରାଶି ଦେବାକୁ ବାଧ୍ୟ ହେଉଛନ୍ତି । ମୋଟାମୋଟି କହିବାକୁ ଗଲେ, ଚାଷୀଙ୍କୁ ବୀମା ରାଶି ପ୍ରଦାନ ପାଇଁ ମାଧ୍ୟମ ସାଜିଛନ୍ତି ବିଭିନ୍ନ ବ୍ୟାଙ୍କ ଓ ସମବାୟ ସଂସ୍ଥା ।
ଅଦିନିଆ ବର୍ଷା ହେଉ ଦଇବ ଦୁର୍ବିପାକ, ଚାଷୀ ତାର ଚାଷ କାମରେ କେବେ ବି ଅବହେଳା କରେ ନାହିଁ । କିନ୍ତୁ ବିଡମ୍ବନା, ସହାୟତାର ଭରସା ଦେଖାଇ ଚାଷୀଙ୍କୁ ଲୁଟୁଥିବା ସଂସ୍ଥା ଯଦି ସରକାରଙ୍କ ଛତ୍ର ଛାୟାରେ ରହିବ, ତେବେ ଚାଷୀଟିଏ ଗୁହାରି କରିବ କାହାକୁ?
Follow Us