କନକ ବ୍ୟୁରୋ : ବଳଙ୍ଗା ନାବାଳିକା ପୋଡି ଘଟଣା ପଛରେ କିଏ ? ଏଭଳି ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି । ତଦନ୍ତକାରୀ ଟିମ୍ ଘଟଣାସ୍ଥଳ ବୁଲୁଛନ୍ତି, ସିସିଟିଭି ଯାଞ୍ଚ କରୁଛନ୍ତି । କିନ୍ତୁ ଏଯାବତ୍ ଉତ୍ତର ଖୋଜି ପାଇବାରେ ବିଫଳ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ଦିଲ୍ଲୀ ଏମ୍ସରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ବଳଙ୍ଗା ନାବାଳିକା । ଶରୀରର ୭୫ ଭାଗ ଜଳିବା ପରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ସ୍ବତନ୍ତ୍ର ଡାକ୍ତରୀ ଦଳ ନାବାଳିକାଙ୍କ ଚିକିତ୍ସା କରୁଛନ୍ତି । ହେଲେ ପୀଡିତାଙ୍କୁ ଜାଳିଥିବା ନୃଂଶସଙ୍କ ପତ୍ତା ପାଉନି ପୁଲିସ । ଖୋଦ୍ ପୁଲିସ ଡିଜି, ଆଇଜି, ପୁରୀ ଏସପିଙ୍କ ପରେ କ୍ରାଇମସିନ୍କୁ ଯାଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ହେଲେ ବିଡମ୍ବନାର ବିଷୟ, ଏଯାବତ୍ ନା ଅଭିଯୁକ୍ତ ମିଳୁଛନ୍ତି ନା ପୂ ରା ଘଟଣାକ୍ରମ ସାମ୍ନାକୁ ଆସିପାରୁଛି। କ୍ରାଇମବ୍ରାଞ୍ଚ ଟିମ୍ ସତ ଜାଣିବାକୁ ନାବାଳିକାଙ୍କ ସାଙ୍ଗ ଓ ଗାଁ ଲୋକଙ୍କୁ ପଚରାଉଚରା କରୁଛି । ଅନ୍ୟପଟେ ବିଜେଡିର ଏକ ଟିମ୍ ଏମ୍ସରେ ପୀଡ଼ିତାଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ବଳଙ୍ଗାରେ ନାବାଳିକାଙ୍କୁ ନିଆଁରେ ଜାଳିବା ପରେ କୋକୁଆଭୟ ସୃଷ୍ଟି ହୋଇଛି । ଚାରିଆଡ଼େ ଶୂନଶାନ, ଭୟଭୀତ ଗାଁ ଲୋକ । ନିଜ ପିଲାଙ୍କୁ ବାହାରକୁ ଏକା ଛାଡ଼ିବାକୁ ଭୟ କଲେଣି ବଳଙ୍ଗାବାସୀ । କିଛି ଅଘଟଣ ଘଟିଯିବନି ତ, ଏଭଳି ଆଶଙ୍କା ସମସ୍ତଙ୍କ ମନରେ । ୫୦ ଘଣ୍ଟା ପରେ ଦୁର୍ବୃତ୍ତଙ୍କ ବାବଦରେ ସୁରାଗ ନପାଇବା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି । ବାରମ୍ବାର ସିସିଟିଭି ଯାଞ୍ଚ ପରେ ବି ପୁଲିସକୁ ମିଳୁନି ପ୍ରମାଣ । ଯାହା ପୂରା ଘଟଣାକୁ ଆହୁରି ରହସ୍ୟ ଘେରକୁ ଠେଲି ଦେଇଛି ।