କନକ ବ୍ୟୁରୋ : ଯଦି ଜଣେ ମନୁଷ୍ୟ ସତ୍ କାମ କରିବାକୁ ଚିନ୍ତା କରନ୍ତି କିମ୍ବା କୌଣସି ଭଲ କାମ କରନ୍ତି ତା’ହେଲେ ସମାଜରେ ଅନେକ ପଙ୍ଗପାଳ ଅଛନ୍ତି ଯେଉଁମାନେ ଉକ୍ତ କାର୍ଯ୍ୟକୁ ବାଧା ଦେବାରେ ନିଜର ସବୁ ଶକ୍ତି ଲଗାଇ ଦିଅନ୍ତି । ବର୍ତ୍ତମାନ ସମୟରେ ମନ୍ଦିର ଗଢ଼ାକୁ ନେଇ ଅନେକ ବିବାଦ ଦେଖିବାକୁ ମିଳୁଛି । ଯେଉଁ ଭକ୍ତଜଣକ ଈଶ୍ବରଙ୍କ ଭକ୍ତିମାର୍ଗରେ ପ୍ରେରିତ ହୋଇ ମନ୍ଦିରଟିଏ ନିର୍ମାଣ କରିବାକୁ ଆପ୍ରାଣ ଉଦ୍ୟମ କରୁଛି ତାହାରି ପଛରେ ଅନେକ ଲୋକ ଲାଗି ପଡୁଛନ୍ତି । ତେବେ ଏ ଘଟଣା କେବଳ ଆଜିର ବୋଲି ନୁହେଁ । ଯୁଗ ଯୁଗ ଧରି ଭଲ କାମ କରୁଥିବା ଲୋକଙ୍କୁ ଏପରି ନିନ୍ଦା , ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼େ । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ କାହାଣୀ ମଧ୍ୟ ଠିକ୍ ସେହିଭଳି । 

Advertisment
Sri jagannath 11
Sri jagannath 11 Photograph: (google)

ସ୍କନ୍ଧ ପୁରାଣ , ବ୍ରହ୍ମ ପୁରାଣ ଓ ଅନ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଶ୍ରୀମନ୍ଦିର ପ୍ରତିଷ୍ଠା ପାଇଁ ସ୍ବୟଂ ବ୍ରହ୍ମଦେବଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନ । ଇତିମଧ୍ୟରେ ପୃଥିବୀରେ ଅନେକ ଯୁଗ ବିତିଯାଇଥିଲା ଏବଂ ବାଲି ଭିତରେ ପୋତି ହୋଇଯାଇଥିଲା ଶ୍ରୀମନ୍ଦିର । ବାଲି ଭିତରେ ପୋତି ହୋଇଥିବା ମନ୍ଦିରକୁ ଗାଲମାଧବ ନାମକ ଜଣେ ରାଜା ବାହାର କରି ମନ୍ଦିରରେ ମାଧବ ମୂର୍ତ୍ତି ରଖି ପୂଜା କରୁଥିଲେ । ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ତୋଳାଇଛନ୍ତି ବୋଲି ଗାଲମାଧବଙ୍କୁ କହିଥିଲେ ସେ ଏଥିରେ ରାଜି ହୋଇନଥିଲେ । ବ୍ରହ୍ମା ମଧ୍ୟସ୍ଥତା କରି ପ୍ରକୃତ ମନ୍ଦିର କିଏ ନିର୍ମାଣ କରିଛନ୍ତି ତାହା ଜାଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳେ ପୃଥିବୀରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସପକ୍ଷରେ ସାକ୍ଷୀ ଦେବାକୁ ଆଉ କେହି ନଥିଲେ । ଏହି ସମୟରେ ରାଜାଙ୍କ ନଜର କଳ୍ପବୃକ୍ଷରେ ବସିଥିବା ଭୂଷଣ୍ଡକାକ ଉପରେ ପଡ଼ିଲା । ରାଜା କହିଲେ ଏ ଭୂଷଣ୍ଡକାକ ହିଁ ମୋର ସାକ୍ଷୀ । ବ୍ରହ୍ମଦେବ ଭୂଷଣ୍ଡକାକଙ୍କୁ ମନ୍ଦିର ନିର୍ମାଣ ବିଷୟରେ ପଚାରିଲେ । ଭୂଷଣ୍ଡକାକ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ତୋଳିବା କଥା କହିଥିଲେ । କିନ୍ତୁ କାକପକ୍ଷୀ ଭଳି ବିହଙ୍ଗର ସାକ୍ଷୀରେ ସନ୍ତୁଷ୍ଟ ନଥିଲେ ଗାଲମାଧବ । ତେଣୁ ବ୍ରହ୍ମଦେବ ଅନ୍ୟ ସାକ୍ଷୀଙ୍କ ବିଷୟରେ ରାଜାଙ୍କୁ ପଚାରିଥିଲେ । ମନ୍ଦିର ତୋଳିବାରେ ସାହାଯ୍ୟ କରିଥିବା କୂର୍ମମାନଙ୍କୁ ରାଜା ସାକ୍ଷୀ ବୋଲି ମାନିଥିଲେ । ଉକ୍ତ ସ୍ଥାନରୁ ବ୍ରହ୍ମଦେବ ଏବଂ ଗାଲମାଧବଙ୍କୁ ନେଇ ସେ ପୁଷ୍କରିଣୀ ଗମନ କଲେ । ପୁଷ୍କରିଣୀରେ ଥିବା କୂର୍ମ ବୋଇଲେ , ‘ହଁ ବ୍ରହ୍ମଦେବ ଏହି ରାଜାଙ୍କ ମନ୍ଦିର ତିଆରି କରି ପଥର ବୋହି ବୋହି ଆମେ ମନୁଷ୍ୟରୁ କୂର୍ମ ପାଲଟିଯାଇଛୁ ।’ ଭୁଷଣ୍ଡକାକ ଏବଂ କୂର୍ମଙ୍କ କଥାକୁ ବିଶ୍ବାସ କରି ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀମନ୍ଦିରର ନିର୍ମାଣ କରିଥିଲେ ବୋଲି ଗାଲମାଧବଙ୍କୁ କହିଥିଲେ ।