କନକ ବ୍ୟୁରୋ : ବର୍ଷା ହେଉ କି ଖରା ସବୁ ବେଳେ ଚର୍ଚ୍ଚାରେ କୋରାପୁଟ ଜିଲ୍ଳାର ଦଶମନ୍ତପୁର । କେତେବେଳେ ଝାଡ଼ାବାନ୍ତି ତ ଆଉ କେତେବେଳେ ରୋଗୀ ଭାରରେ ବୁହା ହେବା ଘଟଣା । ଏ ସବୁ ଭିତରେ ଏବେ ଦଶମନ୍ତପୁରର ମିନି ଷ୍ଟାଡ଼ିୟମକୁ ନେଇ ଜୋରଦାର ଚର୍ଚ୍ଚା । ଷ୍ଟାଡ଼ିୟମ ନାଁରେ ମାଟି ସମତଳ କରି ଖର୍ଚ୍ଚ କରିଦେଇଛନ୍ତି ଲକ୍ଷାଧିକ ଟଙ୍କା ।
ପୂର୍ବତନ ବିଧାୟକ କୈଳାସ କୁଲେସିକା କହୁଛନ୍ତି, ସେ ବିଧାୟକ ଥିବା ବେଳେ ନିଜ ନିର୍ବାଚନ ମଣ୍ଡଳିରେ ୪ଟି ମିନି ଷ୍ଟାଡିୟମ୍ ପାଇଁ ଅନୁଦାନ ଦେଇଥିଲେ । 'ପ୍ରତି ଷ୍ଟାଡିୟମ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ଦେଇଛନ୍ତି' । ସେ ଟଙ୍କାରେ ଷ୍ଟାଡ଼ିୟମ ହୋଇନାହିଁ । ତାଙ୍କ ପରେ ଆସିଥିବା ଜନପ୍ରତିନିଧି ଓ ପ୍ରଶାସନ ଅଧିକାରୀ ମିଳିମିଶି ସେ ଟଙ୍କାକୁ ଚଳୁ କରି ଦେଇଛନ୍ତି । ସେପଟେ କୈଳାସଙ୍କ ପରେ ଦଶମନ୍ତପୁରରେ ବିଧାୟକ ହୋଇଥିବା ପ୍ରଭୁ ଜାନି କହିଛନ୍ତି ମିଛ କହୁଛନ୍ତି କୈଳାସ କୁଲେସିକା ।
ମିନି ଷ୍ଟାଡ଼ିୟମକୁ ନେଇ ଜୋରଦାର ଚର୍ଚ୍ଚା । ଦୁଇ ରାଜନେତାଙ୍କ ବୟାନବାଜି କିନ୍ତୁ ଷ୍ଟାଡ଼ିୟମ ଦୁର୍ନୀତିକୁ ପଦାର ପକାଇଛି । ଗ୍ରାଉଣ୍ଡ ଜିରୋର ସ୍ଥିତି ଓ ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ପୁରା ସ୍ଥିତିକୁ ଗୋଳମାଳିଆ କରିଛି । ଷ୍ଟାଡିୟମ୍ ନକରି କ'ଣ ମାଟି ସମତଳ କରିବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି? ଷ୍ଟାଡିୟମ୍ ମାଟି କାମରେ ସୀମିତ ଥିବା ବେଳେ କେଉଁ ନେତା ସତ କହୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଜିଲ୍ଳା କ୍ରୀଡା ଅଧିକାରୀ କହିଛନ୍ତି, କାମ ଅସମ୍ପୁର୍ଣ୍ଣ ରହିଛି । ଏହାର ତଦନ୍ତ କରି କ୍ରୀଡ଼ା ବିଭାଗ ଓ ଜିଲ୍ଳାପାଳଙ୍କୁ ଅବଗତ କରାଯିବ ।