କନକ ବ୍ୟୁରୋ : ମତ୍ସ୍ୟଜୀବୀ ମାନଙ୍କ ଆର୍ଥିକ ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି । ହେଲେ ତୃଣମୂଳ ସ୍ତରରେ ସେହି ଅର୍ଥକୁ ସରକାରୀ ବାବୁ ଚଳୁ କରି ଦେଉଛନ୍ତି । ସେହି କ୍ରମରେ ଚିଲିକାରେ ମତ୍ସ୍ୟଜୀବୀଙ୍କ ପାଇଁ ଆସୁଥିବା ସବସିଡି ଟଙ୍କା ହଡପ୍‌ ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଚିଲିକାର ମତ୍ସ୍ୟଜୀବୀଙ୍କୁ ଡଙ୍ଗା, ଜାଲ, ଲାଇଫ୍ ଜ୍ୟାକେଟ ଓ ମେସିନ୍ ଯୋଗାଣରେ ହଜାର ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ । ଅନୁସୂଚିତ ଜାତି ଓ ସାଧାରଣ ବର୍ଗର ମତ୍ସ୍ୟଜୀବୀଙ୍କୁ ଯଥାକ୍ରମେ ୬୦ ଓ ୪୦ ପ୍ରତିଶତ ସବସିଡି ପ୍ରଦାନ ପାଇଁ ସରକାରୀ ବ୍ୟବସ୍ଥା ରହିଛି । କିନ୍ତୁ ମତ୍ସ୍ୟ ସମ୍ପଦ ବିଭାଗର କେତେକ ଅଧିକାରୀ, ଦଲାଲ ଓ ଡଙ୍ଗା ଯୋଗାଣକାରୀ ସଂସ୍ଥା ମିଳିମିଶି ସବ୍‌ସିଡିର ସିଂହଭାଗ ଲୁଟି ନେଉଥିବା ଅଭିଯୋଗ ଆସିଛି ।

Advertisment

ବାଲୁଗାଁ ମତ୍ସ୍ୟ ସମ୍ପଦ ଅଧିକାରୀଙ୍କ ଅଧୀନରେ କାଳୁପଡ଼ାଘାଟ, ବାଲୁଗାଁ, ରମ୍ଭା ଓ ସାତପଡ଼ାକୁ ନେଇ ୪ଟି ୟୁନିଟ୍ ରହିଛି। ଏହି ୟୁନିଟ୍ କ୍ଷେତ୍ରରେ ରହିଛି ସରକାରୀ ପଞ୍ଜୀକୃତ ୭ଟି ଡଙ୍ଗା ନିର୍ମାଣକାରୀ ସଂସ୍ଥା । ଏଥିପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୨ ଲକ୍ଷ ୫୩ ହଜାର ଟଙ୍କା ରିହାତି ମିଳୁଛି । ହେଲେ ମତ୍ସ୍ୟଜୀବୀ ୧ ଲକ୍ଷ ୮୦ ହଜାର ଟଙ୍କା ଦେଇ ଡଙ୍ଗା ନିର୍ମାଣ କରୁଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ୪ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ ରିହାତି ମିଳୁଛି । କିନ୍ତୁ ମତ୍ସ୍ୟଜୀବୀ ୮୦ରୁ ୯୦ ହଜାର ଟଙ୍କା ଦେଉଥିବା ଅଭିଯୋଗ ଆସିଛି । ଲକ୍ଷ୍ମଣ ବେହେରା ନାମକ ଜଣେ ହିତାଧିକାରୀ, ତାଙ୍କର ୪ଲକ୍ଷ ୪୨ ହଜାର ଟଙ୍କା ହଡ଼ପ କରାଯାଇଥିବା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ହିତାଧିକାରୀଙ୍କୁ ମଞ୍ଜୁର ସବ୍‌ସିଡିରୁ ଅଳ୍ପ କିଛି ଅର୍ଥ ଦେଇ ଅବଶିଷ୍ଟ ଟଙ୍କାକୁ ସମସ୍ତେ ବାଣ୍ଟି ନେଉଥିବା ଅଭିଯୋଗ ଆଣିଛନ୍ତି । ମତ୍ସ୍ୟଜୀବୀଙ୍କ ଅଭିଯୋଗ ଆଧାରରେ ଆମେ ବାଲୁଗାଁ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ । ହେଲେ ସେ ପ୍ରତିକ୍ରିୟା ନଦେଇ ବୁମ୍ ଆଡେଇ ଦେଇ ପଳାଇଥିଲେ ।