କନକ ବ୍ୟୁରୋ : ଭାରତରେ ଫୁସଫୁସ୍ କ୍ୟାନସର୍ ଏକ ନୂତନ ମହାମାରୀର ରୂପ ନେଉଛି । ଏହି ରୋଗ ଜାତୀୟ ହାର ତୁଳନାରେ ଦିଲ୍ଲୀରେ ୭ ଗୁଣା ଅଧିକ ବେଗରେ ବ୍ୟାପୁଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଶୀଘ୍ର ଏହାର ନିରାକରଣ କରାନଯାଏ, ତେବେ ଏହା ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (IJMR)ର ରିପୋର୍ଟ ଅନୁଯାୟୀ, ୨୦୨୫ ଶେଷ ସୁଦ୍ଧା ଭାରତରେ ଫୁସଫୁସ୍ କର୍କଟ ମାମଲା ସଂଖ୍ୟା ୮୧,୨୧୯ରେ ପହଞ୍ଚିପାରେ । ଯାହା ୨୦୧୫ରେ ୬୩,୮୦୭ ଥିଲା । ବିଶେଷଜ୍ଞମାନେ ଏହାକୁ ଭାରତରେ ଆସୁଥିବା ଏକ "ଅଣ-ଧୂମପାୟୀ କର୍କଟ ମହାମାରୀ" ଭାବରେ ଦେଖୁଛନ୍ତି । ଯେଉଁଥିରେ ପ୍ରଦୂଷଣ, ଶିଳ୍ପ ରାସାୟନିକ ପଦାର୍ଥ ଏବଂ ଜୀବନଶୈଳୀ ପ୍ରମୁଖ କାରକ ଅଟେ ।
WHO ଅନୁଯାୟୀ, ଫୁସଫୁସ୍ କର୍କଟ ପ୍ରତିବର୍ଷ ୧୮ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥାଏ । ୨୦୨୨ରେ ଏହା ବିଶ୍ୱରେ ସର୍ବାଧିକ ଦେଖାଯାଉଥିବା କର୍କଟ ଥିଲା, ଯେଉଁଥିରେ ୨୫ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଥିଲା, ଯାହା ମୋଟ କର୍କଟ ମାମଲାର ୧୨.୪% ଥିଲା । ନ୍ୟାସନାଲ୍ କ୍ୟାନସର୍ ରେଜିଷ୍ଟ୍ରି ପ୍ରୋଗ୍ରାମ ଓ ଗ୍ଲୋବୋକ୍ୟାନ୍ ୨୦୨୦ର ତଥ୍ୟ ଅନୁଯାୟୀ, ଭାରତରେ ୨୦୨୦ରେ ଫୁସଫୁସ୍ କର୍କଟର ୭୯,୨୨୧ ନୂଆ ମାମଲା ଏବଂ ୭୦,୨୬୪ ମୃତ୍ୟୁ ହୋଇଥିବା ପଞ୍ଜିକୃତ ହୋଇଥିଲା ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଭାରତରେ ୫୦%ରୁ ଅଧିକ ମାମଲା ଶେଷ ପର୍ଯ୍ୟାୟରେ ଚିହ୍ନଟ ହେଉଛି । ଯେତେବେଳେ ଚିକିତ୍ସାର ସମ୍ଭାବନା ଅତ୍ୟନ୍ତ ସୀମିତ ହୋଇଯାଏ । ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ମହାନଗର ଓ ଶିଳ୍ପାଞ୍ଚଳ ଥିବା ରାଜ୍ୟଗୁଡ଼ିକରେ ଏହାର ହାର ସର୍ବାଧିକ । ନ୍ୟାସନାଲ୍ କ୍ୟାନସର ରେଜିଷ୍ଟ୍ରି ପ୍ରୋଗ୍ରାମ ଅନୁସାରେ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ଫୁସଫୁସ୍ କର୍କଟର ସର୍ବାଧିକ ମାମଲା ପଞ୍ଜିକୃତ ହେଉଛି । କେବଳ ଦିଲ୍ଲୀରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଏହାର ହାର ୧୪.୬ ରହିଛି, ଯାହା ଜାତୀୟ ହାର ୭.୩ ପ୍ରତି ଲକ୍ଷ ତୁଳନାରେ ଦୁଇଗୁଣ । କୋଲକାତା ଏବଂ ମୁମ୍ବାଇ ଭଳି ସହରରେ ଏହି ହାର ଯଥାକ୍ରମେ ୧୨.୪ ଏବଂ ୧୧.୭ ରହିଛି ।
ବାୟୁ ପ୍ରଦୂଷଣ ବଡ଼ କାରଣ
ମହାନଗରଗୁଡ଼ିକରେ ବାୟୁ ଗୁଣବତ୍ତା କ୍ରମାଗତ ଭାବେ ବିପଜ୍ଜନକ ସ୍ତରରେ ରହୁଛି । ପାର୍ଟିକ୍ୟୁଲେଟ୍ ମ୍ୟାଟର୍ ଫୁସଫୁସ୍ରେ ପ୍ରବେଶ କରି କର୍କଟ କୋଷିକାର ବିକାଶକୁ ବଢ଼ାଇଥାଏ । ICMR ରିପୋର୍ଟରେ ପ୍ରଦୂଷଣକୁ "ସାଇଲେଣ୍ଟ ସ୍ମୋକିଂ" ବା "ନିରବ ଧୂମପାନ" ବୋଲି କୁହାଯାଇଛି । ରିପୋର୍ଟ ଅନୁଯାୟୀ, ଉତ୍ତର ଭାରତର ରାଜ୍ୟ ଯଥା ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣାରେ ମଧ୍ୟ ପ୍ରଦୂଷଣ ଏବଂ ତମାଖୁ ସେବନ କାରଣରୁ ଫୁସଫୁସ୍ କର୍କଟ ମାମଲା ଦ୍ରୁତ ଗତିରେ ବଢୁଛି । ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳରେ ବିଡ଼ି ଓ ତମାଖୁ ସେବନ କାରଣରୁ ଫୁସଫୁସ୍ କର୍କଟ ହାର ସହରାଞ୍ଚଳ ତୁଳନାରେ ୩୦% ଅଧିକ ଦେଖାଯାଇଛି । ଦକ୍ଷିଣ ଭାରତର କର୍ଣ୍ଣାଟକ ଏବଂ ତାମିଲନାଡୁରେ ସହରୀକରଣ ଏବଂ ଶିଳ୍ପ ସମ୍ପ୍ରସାରଣ କାରଣରୁ ଏହି ରୋଗ ବଢୁଛି । ବିଶେଷଜ୍ଞଙ୍କ ମତରେ, ରାଜ୍ୟୱାରୀ ଏହି ବୃଦ୍ଧି ପଛରେ ସ୍ଥାନୀୟ ବାୟୁ ପ୍ରଦୂଷଣ ସ୍ତର, ଶିଳ୍ପ ବର୍ଜ୍ୟବସ୍ତୁ ସ୍ଥିତି ଏବଂ ତମାଖୁ ହିଁ ମୁଖ୍ୟ କାରଣ । ବିଶେଷଜ୍ଞମାନେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା , ଧୂମପାନ ବିରୋଧରେ ସଚେତନତା ସୃଷ୍ଟି କରିବା ଏବଂ ଫୁସଫୁସ କର୍କଟର ଶୀଘ୍ର ଚିହ୍ନଟ ପାଇଁ ବ୍ୟାପକ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ।