କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତିର ଦ୍ୱାହି ହେଉଥିବା ଲୋକଙ୍କ ସରକାର, ଲୋକାୟୁକ୍ତ ନିଯୁକ୍ତି କ୍ଷେତ୍ରରେ କାହିଁକି ଦେଉଛନ୍ତି ପଛଘୁଞ୍ଚା ? ୧୯ ମାସ ହେଲା ଲୋକାୟୁକ୍ତ କୋମାରେ ପଡ଼ିଥିଲେ ବି, କାହିଁକି ଗଡ଼ାଇ ଚାଲିଛନ୍ତି ସମୟ? ଚର୍ଚ୍ଚା ହେଉଛି, ସରକାରଙ୍କ ପାଇଁ ଅଡ଼ୁଆ ସାଜିଛି ପୂର୍ବ ସରକାରରେ ଗଠିତ ସର୍ଚ୍ଚ କମିଟି । ସେପଟେ ହାଇକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲାରେ ଆସନ୍ତାମାସ ହେବାକୁ ଥିବା ଶୁଣାଣିକୁ ବି ଅପେକ୍ଷା ରହିଛି ।
ଦେଢ଼ ବର୍ଷରୁ ଅଧିକ ସମୟ ଧରି ଲୋକାୟୁକ୍ତ ଅଚଳ ପଡ଼ିଥିଲେ ବି, ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପାଇଁ ସମୟ ଗଡ଼ାଇ ଚାଲିଛନ୍ତି ରାଜ୍ୟ ସରକାର । ଲୋକାୟୁକ୍ତ ଆଇନ-୨୦୧୪ର ସଂଶୋଧନ ପାଇଁ ସରକାର ବିଚାର କରୁଥିବା ହାଇକୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ ଜେନେରାଲ୍ । କିନ୍ତୁ ସୂଚନା ଅଧିକାରୀ କର୍ମୀଙ୍କ କହିବା କଥା, ଆଇନ ସଂଶୋଧନ ଏକ ବାହାନା ! ସମୟ ଗଡ଼ାଇବାର ଉଦ୍ଦେଶ୍ୟ ଅନ୍ୟ କିଛି ! ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ନାଁ ସୁପାରିସ କରନ୍ତି ସର୍ଚ୍ଚ କମିଟି । ବର୍ତ୍ତମାନର ୬ ଜଣିଆ ସର୍ଚ୍ଚ କମିଟିକୁ ୨୧ ଫେବ୍ରୁଆରି ୨୦୨୪ରେ ଗଠନ କରିଥିଲେ ପୂର୍ବର ବିଜେଡି ସରକାର । ଏହି ସର୍ଚ୍ଚ କମିଟିର କାର୍ଯ୍ୟକାଳ ଆସନ୍ତା ଫେବ୍ରୁଆରି ୨୦ରେ ସରୁଛି । ତେଣୁ ହୁଏତ ତା ପରେ ହିଁ, ସରକାର ନିଜେ ନୂଆ ସର୍ଚ୍ଚ କମିଟି ଗଢ଼ି ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ଚାହୁଛନ୍ତି ।
କେବେ କୋମାରୁ ଉଠିବ ଓଡ଼ିଶା ଲୋକାୟୁକ୍ତ? ୨୦୨୪ ମାର୍ଚ୍ଚରୁ ଅଧ୍ୟକ୍ଷ ପଦ ଓ ଅଗଷ୍ଟରୁ ସମସ୍ତ ସଦସ୍ୟ ପଦ ଖାଲି ପଡ଼ିଛି । ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ପରେ, ଗତ ୧୩ ତାରିଖରେ ପକ୍ଷ ରଖିଥିଲେ ରାଜ୍ୟ ସରକାର । ଫେବ୍ରୁଆରି ୨୪ରେ ଏହାର ପରବର୍ତ୍ତୀ ଶୁଣାଣି ରହିଛି । ସେତେବେଳକୁ ବର୍ତ୍ତମାନର ସର୍ଚ୍ଚ କମିଟି କାର୍ଯ୍ୟକାଳ ସରିଯାଇଥିବ । ତେଣୁ ହାଇକୋର୍ଟରେ ସରକାର ନୂଆ ସର୍ଚ୍ଚ କମିଟି ଗଠନ ନେଇ ଜଣାଇବେ, ନା ପୁଣି ଆଇନ ସଂଶୋଧନ କଥା ଉଠାଇବେ ତା ଉପରେ ନଜର ରହିଛି । ଲୋକାୟୁକ୍ତ ଆଇନରେ ସରକାର କିଭଳି ସଂଶୋଧନ କରିବାକୁ ଚାହୁଛନ୍ତି? ସଂଶୋଧନର ଆବଶ୍ୟକତା କ’ଣ ରହିଛି? ସେନେଇ ବି କୌଣସି ସ୍ପଷ୍ଟତା ଆସିନି ।
ଲୋକାୟୁକ୍ତ ଅଚଳ ପଡ଼ିବା କାରଣରୁ ବିଭିନ୍ନ ଦୁର୍ନୀତି ମାମଲାର ଖୋଳତାଡ଼ ବିଳମ୍ବିତ ହେଉଛି, ଯାହାକି ଯାହାକି ଲୋକଙ୍କ ସରକାରର ଆଭିମୁଖ୍ୟକୁ ନେଇ ସନ୍ଦେହ ସୃଷ୍ଟି କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/01/19/32-2026-01-19-22-05-33.jpg)