30sdfsafsafs Photograph: (30sdfsafsafs)
କନକ ବ୍ୟୁରୋ : ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ଗିରଫ ହେଲେ ସାଂସଦ । ୟୁପି ସୀତାପୁର ଲୋକସଭା ଆସନର କଂଗ୍ରେସ ସାଂସଦ ରାକେଶ ରାଠୋରଙ୍କୁ ଗିରଫ କରିଛି ପୁଲିସ। ସାମ୍ବାଦିକ ସମ୍ମିଳନୀ କରୁଥିବା ସମୟରେ ସାସଂଦଙ୍କ ଘରୁ ପୁଲିସ ତାଙ୍କୁ ଗିରଫ କରିଛି। ଦୁଷ୍କର୍ମ ମାମଲାର ଅଭିଯୁକ୍ତ ରାକେଶ ରାଠୋରଙ୍କ ଆଗୁଆ ଜାମିନ ହାଇକୋର୍ଟ ଖାରଜ କରିବା ପରେ ସେ ଆଜି ଘରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ସାମ୍ବାଦିକ ସମ୍ମିଳନୀ ସମୟରେ ହିଁ ପୁଲିସ ଅଭିଯୁକ୍ତ ସାଂସଦଙ୍କୁ ହେପାଜତକୁ ନେଇଥିଲା ବୋଲି ଜଣାଯାଇଛି। ରାକେଶ ରାଠୋର ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ଆବେଦନକୁ ଖାରଜ କରି ଆତ୍ମସମର୍ପଣ କରିବାକୁ ସ୍ପଷ୍ଟ ଭାବରେ କହିଥିଲେ। ଶୁଣାଣି ସମୟରେ ରାକେଶଙ୍କ ଓକିଲ କହିଥିଲେ ଯେ, ପୀଡ଼ିତାଙ୍କ ବୟାନ ମୁତାବକ ୪ବର୍ଷ ତଳେ ଦୁଷ୍କର୍ମ ହୋଇଥିଲା ହେଲେ ଏବେ ସେ ଏହାର ଅଭିଯୋଗ କରୁଛନ୍ତି। ଏସବୁ ସାଂସଦଙ୍କୁ ଫସାଇବାକୁ କରାଯାଉଛି,ରାକେଶ ନିର୍ଦ୍ଦୋଷ । ଏହାର ଜବାବରେ ପୀଡ଼ିତାଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କହିଥିଲେ ଯେ, କଂଗ୍ରେସ ସାଂସଦ ରାକେଶ ରାଠୋର ଜଣେ ଶକ୍ତିଶାଳୀ ନେତା। ତାଙ୍କ ଭୟରେ ମୋ ମହକିଲ ବିଳମ୍ବରେ ମାମଲା ରୁଜୁ କରିଥିଲେ। ଶୁଣାଣି ପରେ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରି ୨ସପ୍ତାହ ମଧ୍ୟରେ ରାକେଶଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ସେ ଏଭଳି ନକରିବାରୁ ତାଙ୍କୁ ଗିରଫ କରାଯାଇଛି।
Follow Us