କନକ ବ୍ୟୁରୋ : ଅବ୍ୟବସ୍ଥା ଘେରରେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ବାସ୍ଥ୍ୟ କେନ୍ଦ୍ରର ପିଇବା ପାଇଁ ପାଣି ନାହିଁ । ଏନେଇ ସମସ୍ତେ ଅବଗତ ଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ । ଜଳ ଯୋଗାଣ ବିଭାଗ ଦ୍ବାରା ଏକ ଓଭର ହେଡ଼ ଟାଙ୍କିର ନିର୍ମାଣ କରାଯାଉଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଫଳରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ତଥା ଆଖପାଖ ବ୍ଲକର ହଜାର ହଜାର ରୋଗୀଙ୍କ ଭରସାର କେନ୍ଦ୍ର । ହେଲେ ବର୍ଷବର୍ଷ ଧରି ଏଠାରେ ମିଳୁନି ପିଇବା ପାଣି । ଜଳ ଯୋଗାଣ ବିଭାଗ ଦ୍ବାରା ୫ ମାସ ହେଲା ଓଭର ହେଡ଼ ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ପ୍ରଶ୍ନ ଉଠିଛି ନିର୍ମାଣ ସରିଗଲେ ବି ପାଣି ଆସିବ କେଉଁଠୁ? କାରଣ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ନାହିଁ କୌଣସି ଜଳସ୍ରୋତ ।
କିଛି ଦିନ ତଳେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସିଥିଲେ । ଡ଼ାକ୍ତରଖାନାରେ ପିଇବା ପାଣି ନଥିବା ଶୁଣି କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଟାଙ୍କି କାର୍ଯ୍ୟ ତୁରନ୍ତ ସାରି ପାଣି ପାଇଁ ଥାନା ପରିସରରେ ଗଭୀର ନଳକୂପ ଖନନ କରିବେ ବୋଲି ସ୍ପଷ୍ଟ କରିଛନ୍ତି ଜଳ ଯୋଗାଣ ଯନ୍ତ୍ରୀ । ଏତେ ବଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପିଇବା ପାଇଁ ପାଣି ବ୍ୟବସ୍ଥା ଆଉ କେତେ ବର୍ଷ ସମୟ ଲାଗିବ ତାହା ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି ।