କନକ ବ୍ୟୁରୋ : ଯେଉଁଠି ବିବାଦ ସେଠି ପୁଣି ପରୀକ୍ଷା । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କିଏ ଖେଳୁଛି ଖେଳ?  ଆରଆଇ ଓ ଅମିନ ପରୀକ୍ଷାରେ ବିଭ୍ରାଟ କରି ବିବାଦରେ ଥିବା ଭୁବନେଶ୍ୱରର ନୟାପଲ୍ଲୀ ଏସଏସବି ଏଜୁକେଟ ଆସେସମେଂଟ ଆଣ୍ଡ ଟେଷ୍ଚିଂ ସେଣ୍ଟରରେ ହେବ ଓଡିଶା ପୁଲିସର କିରାଣୀ ପରୀକ୍ଷା । ଯେଉଁ ସେଂଟର ନାଁରେ ମାଳ ମାଳ ଅଭିଯୋଗ ଆଣି ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଥିଲେ ସେଠାରେ ପୁଣି ପରୀକ୍ଷା ହେବାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଆନ୍ଦୋଳନର ଚେତାବନୀ ବି ଦିଆଯାଇଛି ।
   
ସରକାରୀ ଚାକିରୀରେ  ବିଭିନ୍ନ ନିଯୁକ୍ତି ଏଜେନ୍ସି ଦ୍ୱାରା ଆୟୋଜିତ ପରୀକ୍ଷାରେ ଅନିୟମିତତାକୁ ନେଇ ସରକାର କଠୋର ହେବା ପରେ କିଛି ଏଭଳି ପ୍ରଶ୍ନ ସାମ୍ନାକୁ ଆସିଛି । ନୂଆ ଆଇନ ଅନୁସାରେ କୌଣସି ବ୍ୟକ୍ତି ପରୀକ୍ଷାରେ ଅନୁଚିତ୍ ଉପାୟ ଓ ଅପରାଧ କଲେ ୩ରୁ ୫ବର୍ଷ ଜେଲ୍ ଦଣ୍ଡ ଏହାସହ ୧୦ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନା । ସେବାପ୍ରଦାନକାରୀ ସଂସ୍ଥାକୁ ଏକକୋଟି ଟଙ୍କା ପର୍ୟ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି । କିନ୍ତୁ ପୂର୍ବ ପରୀକ୍ଷାରେ  ହୋଇଥିବା ଅନିୟମିତତା ନେଇ ସରକାର କାହିଁକି ଚୁପ୍ ସେ ନେଇ ପ୍ରଶ୍ନ ଉଠିଛି ।

Advertisment

ଚଳିତବର୍ଷ ଓଏସଏସଏସସି ଦ୍ବାରା ପରିଚାଳିତ ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ବିଭ୍ରାଟ ହୋଇଥିଲା । ସରକାର ବି ଏହାକୁ ସ୍ବୀକାର କରିଛନ୍ତି । ପରୀକ୍ଷା ବାତିଲ ପାଇଁ ବାରମ୍ୱାର ଆନ୍ଦୋଳନ କରି ପରୀକ୍ଷାର୍ଥୀ ନିରାଶ ହୋଇଛନ୍ତି । ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ପରୀକ୍ଷା ଅନିୟମିତତାକୁ ନେଇ  ତର୍ଜମା କରୁଛନ୍ତି ବୋଲି କହିଥିଲେ । କିନ୍ତୁ ଆଶାୟୀ ପ୍ରଶ୍ନ କରିଛନ୍ତି, ସରକାରଙ୍କ ତର୍ଜମା କେବେ ସରିବ ? ଏପରିକି ସଂପୃକ୍ତ ଏଜେନ୍ସି ଓଏସଏସଏସସି ଓ ଯେଉଁମାନେ ବିଭ୍ରାଟ କଲେ ସେମାନଙ୍କ ବିରୋଧରେ କେବେ କାର୍ୟ୍ୟାନୁଷ୍ଠାନ ହେବ? 

ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ, ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ, ସର୍ଭିସ ସିଲେକ୍ସନ ବୋର୍ଡ, ଓଡ଼ିଶା ପୁଲିସ ସିଲେକ୍ସନ ବୋର୍ଡ ଦ୍ୱାରା ରାଜ୍ୟରେ ସରକାରୀ ଚାକିରୀ ପାଇଁ ବିଭିନ୍ନ ପରୀକ୍ଷା ପରିଚଳନା କରାଯାଇଥାଏ । ଏଠାରେ ବଡ ବଡ ସରକାରୀ ବାବୁ ବସିଥାନ୍ତି । ପ୍ରଶ୍ନ ଉଠୁଛି, ନୂଆ ଆଇନ ଆସିଲେ ବଡବଡିଆଙ୍କ ଉପରେ କାର୍ୟ୍ୟାନୁଷାନ ନେବେ ତ ସରକାର?