କନକ ବ୍ୟୁରୋ: କେଉଁଠି ଅଛି ଏମାର ମଠର ରୂପା ଇଟା ? କେବେ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ଜବତ ହୋଇଥିବା ଇଟା । ଏହି ପ୍ରଶ୍ନ ଏବେ ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ଖୁବଶୀଘ୍ର ଏହି ଜବତ ରୁପା ଇଟା ସବୁକୁ ଆଣି ଶ୍ରୀମନ୍ଦିରର ଅନ୍ୟ ୩ ଦ୍ବାରକୁ ରୁପା ଛାଉଣୀ କରିବାକୁ ଦାବି କରିଛନ୍ତି ଭକ୍ତ ଓ ବୁଦ୍ଧିଜୀବୀ ।

Advertisment
  • ପୁଣି ଚର୍ଚ୍ଚାରେ ଏମାର ମଠର ରୁପା ଇଟା
  • କେଉଁଠି ଅଛି ରୁପା ଇଟା?
  • କିଏ ଏହାର ମାର୍ଫତଦାର?

ପୁଣିଥରେ ଏମାର ମଠର ରୂପା ଇଟାକୁ ନେଇ ଚର୍ଚ୍ଚା । ଦୀର୍ଘ ୧୩ ବର୍ଷ ଧରି ପୋଲିସ ହେଫାଜତରେ ରହିଛି ରୂପା ଇଟା। ଏବେ ଏହାକୁ ମହାପ୍ରଭୁଙ୍କ କାମରେ ଲଗାଇବାକୁ ଦାବି କରିଛନ୍ତି ଭକ୍ତ ଓ ବୁଦ୍ଧିଜୀବୀ । ଭକ୍ତଙ୍କଠାରୁ ଦାନ ସୂତ୍ରରେ ମିଳିଥିବା ରୂପାକୁ ବ୍ୟବହାର କରି ସିଂହଦ୍ବାରକୁ ରୁପା ଛାଉଣୀ କରାଯାଇଛି। ଅନ୍ୟ ୩ ଦ୍ବାରକୁ ମଧ୍ୟ ରୂପା ଛାଉଣୀ କଲେ ଭକ୍ତଙ୍କୁ ନୂଆ ଅନୁଭୂତି ମିଳିପାରିବ । ଏହାଛଡ଼ା ମଠରୁ ଜବତ ହୋଇଥିବା ରୂପା ଇଟା ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିପାରିବ ବୋଲି ଦାବି ଉଠିଲାଣି ।

୨୦୧୧ ମସିହାରେ ଏମାର ମଠରୁ ଜବତ ହୋଇଥିଲା ୫୨୨ ଖଣ୍ଡ ରୂପାଇଟା। ପରେ ଆଉ ୨୩ ଖଣ୍ଡ ଇଟା ମିଳିଥିଲା । ଯେଉଁମାନଙ୍କ ନାଁରେ ମାମଲା ହୋଇଥିଲା ସେମାନେ ଏବେ ଖୋଲାରେ ବୁଲୁଛନ୍ତି । ପ୍ରାୟ ୧୫୦ ବର୍ଷ ପୁରୁଣା ଏହି ରୂପା ଇଟା ଗୁଡ଼ିକ ମଧ୍ୟ କୌଣସି କାର୍ଯ୍ୟରେ ଲାଗିପାରୁ ନାହିଁ । ଏବେ ଏହି ସବୁ ରୂପା ଇଟା କେଉଁଠି, ଆଉ କେଉଁ ପରିସ୍ଥିତିରେ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଭକ୍ତଙ୍କ ଦାବିକୁ ବଚାର କରାଯାଉଥିବା କହିଛନ୍ତି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

ତେବେ ୨୦୧୧ ମସିହାରେ ଇଟା ଜବତ ହୋଇଥିବା ବେଳେ ପୂର୍ବ ସରକାରରେ ଏନେଇ କୌଣସି ପଦକ୍ଷେପ ନିଆଯାଇ ନଥିଲା । ନୂଆ ସରକାର ଏହି ଜବତ ରୂପା ଇଟାକୁ ଆଣି ଶ୍ରୀମନ୍ଦିର କାର୍ଯ୍ୟରେ ଲଗାଇବେ ବୋଲି ଆଶା ରଖିଛନ୍ତି ଭକ୍ତ ।