କନକ ବ୍ୟୁରୋ: କୁହାଯାଏ ରାଜନୀତିର ପାଣିପାଗ କେତେବେଳେ ବି ପରିବର୍ତ୍ତନ ହୋଇପାରେ । ଆଉ ଏହି ପାଣିପାଗକୁ ଏବେ ପୁଣି ପରିବର୍ତ୍ତନ କରିଛନ୍ତି କଟକର ବିଜେଡି ନେତା ପ୍ରକାଶ ବେହେରା । କାରଣ କଟକର ଏହି ବରିଷ୍ଠ ନେତା ଏବେ ବିଜେଡି ଛାଡିଦେଇଛନ୍ତି । ହାତରୁ ପଦ୍ମ ଆଉ ପଦ୍ମରୁ ଶଙ୍ଖ । ଏବେ ପ୍ରକାଶ ବେହେରା ଯିବେ କୁଆଡେ ଚର୍ଚ୍ଚା ହେଉଛି ।
ଯେତେବେଳେ ୨୦୨୪ ନିର୍ବାଚନ ଜିତିବାକୁ ରାଜ୍ୟର ୩ ପ୍ରମୁଖ ଦଳ ଅଙ୍କ କଷୁଥିଲେ । ଠିକ ସେତିକି ବେଳେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ପ୍ରକାଶ ବେହେରାଙ୍କ ବିଜେଡିରେ ସାମିଲ ହେବା ପରେ କଟକ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । କାରଣ ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଟକ୍କର ଦେବାକୁ ଏକମାତ୍ର ଲଢୁଆ ନେତା ଥିଲେ ପ୍ରକାଶ । ସେ ନିଜେ ବିଜେଡିରେ ସାମିଲ ହେବା ପରେ ସମର୍ଥକମାନେ ଦ୍ୱନ୍ଦ୍ୱରେ ପଡିଥିଲେ । ତାଙ୍କୁ ଦଳ ଟିକେଟ କେଉଁଠୁ ଦେବ । କାରଣ ସାଲେପୁରରେ ବିଜେଡି ଟିକେଟରେ ପ୍ରଶାନ୍ତ ବେହେରା ବିଧାୟକ ରହିଥିଲେ । ଆଉ ତାଙ୍କୁ ଛାଡି ପ୍ରକାଶଙ୍କୁ ଟିକେଟ ଦେବାର ଭୁଲ କେବେ ବି କରିବନି ବିଜେଡି । ତେଣୁ ବାରବାଟୀ କଟକ ଆସନରୁ ପ୍ରକାଶ ବେହେରାଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲା ଦଳ ।
ହେଲେ ପ୍ରକାଶ ବେହେରା ଏହି ଆସନରୁ ଏତେଟା ଭଲ ପ୍ରଦର୍ଶନ କରିପାରିନଥିଲେ । କାରଣ ଏହି ଆସନରେ କଂଗ୍ରେସର ଭଲ ଦବଦବା ରହିଥିଲା । ବାରବାଟୀ-କଟକରେ କଂଗ୍ରେସର ସୋଫିଆ ଫିର୍ଦ୍ଦୋଶ ଓ ବିଜେପିର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ମଧ୍ୟରେ ଜୋରଦାର ଲଢେଇରେ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରା ପଛରେ ପଡିଯାଇଥିଲେ । ଆଉ ପରାଜୟ ପରେ ତାଙ୍କ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିଗଲା ବୋଲି ଚର୍ଚ୍ଚା ହେଉଥିଲା ।
ପ୍ରକାଶ ବେହେରା ସାଲେପୁରରୁ ନିଜ ନିର୍ବାଚନ କ୍ୟାରିୟରର ଆରମ୍ଭ କରିଥିଲେ । ୨୦୧୪ ମସିହାରୁ କଂଗ୍ରେସ ଟିକେଟରେ ବିଧାୟକ ବି ହୋଇଥିଲେ । ହେଲେ ୨୦୧୯ ନିର୍ବାଚନରେ ସେ ବିଜେପିରେ ସାମିଲ ହୋଇଥିଲେ । ବିଜେପି ଟିକେଟରୁ ୨୦୧୯ରେ ନିର୍ବାଚନ ବି ଲଢିଥିଲେ । ହେଲେ ବିଜେଡିର ପ୍ରଶାନ୍ତ ବେହେରାଙ୍କ ଠାରୁ ୩୦ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ । ଏହାପରେ ସେ ୨୦୨୪ରେ ବିଜେଡି ହାତ ଧରି ପୁଣି ନିରାଶ ହୋଇଥିଲେ । ତେବେ ଓଡିଶାର ୩ ପ୍ରମୁଖ ଦଳରେ ମିଶି ସାରି ଇସ୍ତଫା ଦେବା ପରେ ଏବେ ଚର୍ଚ୍ଚା ହେଉଛି ପ୍ରକାଶ ବେହେରା ଯିବେ କୁଆଡେ? ପୁଣି ନିଜ ପୁରୁଣା ଦଳ କଂଗ୍ରେସ ନା ବିଜେପିକୁ ଫେରିବେ ।