କନକ ବ୍ୟୁରୋ: ୨୦୧୮ ମସିହାରେ ସେ ଭାରତକୁ ଜିତାଇଥିଲେ ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପ । ତାଙ୍କ ବ୍ୟାଟିଂ, କ୍ୟାପଟେନସିପ କରିବାର ତରିକା ଦେଖି ଫ୍ୟାନ ତାଙ୍କୁ କହୁଥିଲେ ଦ୍ବିତୀୟ ସଚିନ । ବହୁ କମ ବୟସରେ କ୍ରିକେଟରେ ସେ ନିଜ ଯାଦୁ ଦେଖାଇ ଚାଲିଲେ । ପ୍ରଥମେ ଆଇପିଏଲ, ପରେ ଅନ୍ତର୍ଜାତୀୟ କ୍ରିକେଟରେ ନିଜ ସ୍ଥାନ ପକ୍କା କଲେ । ୨ ବର୍ଷରେ ଭାରତୀୟ କ୍ରିକେଟରେ ନିଜ ଜଲଓ୍ୱା ଦେଖାଇଥିଲେ ପୃଥ୍ୱୀ ଶ’ । ହେଲେ ୪ ବର୍ଷ ହେବ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି । ଆଉ ଏବେ ଆଇପିଏଲ ଘରୋଇ ଟିମରେ ବି ତାଙ୍କ ବାଟ ବନ୍ଦ ହୋଇଯାଇଥିବା ଦେଖାଯାଉଛି ।
ପୃଥ୍ବୀ ଶ’ ସେହି ଅଧିନାୟକଙ୍କ ମଧ୍ୟରୁ ଜଣେ ଯିଏ ଭାରତକୁ ୧୯ ବର୍ଷରୁ କମ ବିଶ୍ବକପ ବିଜେତା କରିଛନ୍ତି । ଆଉ ସେ ଏମିତି ଜଣେ ଖେଳାଳି କ୍ରିକେଟରେ ଡେବ୍ୟୁ କରୁ କରୁ ସଚିନଙ୍କ ସମକକ୍ଷ ରେକର୍ଡ କରିଥିଲେ । ସେ ସଚିନଙ୍କ ପରେ ଦ୍ବିତୀୟ ଭାରତୀୟ ଯିଏ ନିଜ ଡେବ୍ୟୁ ଟେଷ୍ଟ ମ୍ୟାଚରେ ସେଞ୍ଚୁରୀ କରିଥିଲେ । ଏହାପରେ ଟିମ ଇଣ୍ଡିଆର ଓପନିଂ ସ୍ଥାନରେ ତାଙ୍କ ଦବାଦବା ରହିଥିଲା । ହେଲେ କୁହାଯାଏ ସମୟ ସବୁବେଳେ ଭଲ ନଥାଏ । ଠିକ ସେମିତି ପୃଥ୍ୱୀ ଶ’ଙ୍କ ଜୀବନରେ ମଧ୍ୟ କିଛି ଏମିତି ସମୟ ଆସିଲା ଯାହା ତାଙ୍କୁ ବ୍ୟାକଫୁଟକୁ ନେଇଗଲା ।
ତାଙ୍କ କ୍ୟାରିୟରର ୩ଟି ବାବଦ ଯାହା ତାଙ୍କୁ କ୍ରିକେଟରୁ ଦୂରେଇ ଦେଇଛି ବୋଲି କୁହାଯାଉଛି । ପ୍ରଥମ ହେଉଛି ୨୦୨୨ ଆଇପିଏଲ ସଂସ୍କରଣ ପୂର୍ବରୁ ଏନସିଏ ଦ୍ବାରା କେନ୍ଦ୍ରୀୟ ଚୁକ୍ତିଭିତ୍ତିକ ଖେଳାଳିଙ୍କୁ ୟୋ ୟୋ ଫିଟନେସ ଟେଷ୍ଟ ଦେବାକୁ ନିର୍ଦ୍ଦେଶ ଦିଆୟାଇଥିଲା । ଯେଉଁଥିରେ କ୍ଲିୟରାନ୍ସ ଦେବାରେ ବିଫଳ ହୋଇଥିଲେ ପୃଥ୍ୱୀ ଶ’ । ସେହିପରି ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ ଏକ କାଶ ସିରପ ତାଙ୍କ କ୍ୟାରିୟରକୁ ଖରାପ କରିଦେଇଥିଲା । ବିସିସିଆଇ ଆଣ୍ଟି ଡୋପ ଟେଷ୍ଟରେ ସେ ଫେଲ ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ୮ ମାସ ବ୍ୟାନ କରାଯାଇଥିଲା ।
ଏହାପରେ ୨୦୨୩ ମସିହା ଆରମ୍ଭରେ ଆଉ ଏକ ବଡ ବିବାଦକୁ ସାମ୍ନା କରିଥିଲେ ପୃଥ୍ୱୀ । ସେତେବେଳେ ମୁମ୍ବାଇର ଏକ ହୋଟେଲରେ ପୃଥ୍ୱୀ ଶ ଓ ସୋସସିଆଲ ମିଡିଆ ଇନଫ୍ଲୁଏନ୍ସର ସ୍ୱପ୍ନା ଗିଲ ହାତାହାତି ହୋଇଥିଲେ । ଯାହାର ଭିଡିଓ ସୋସିଆଲମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହି ଘଟଣାରେ ଯୁବ କ୍ରିକେଟର ଥାନାରେ ଏଫଆଇଆର ଦେଇଥିଲେ । ଏହି ସବୁ ଘଟଣା ପରଠୁ ଆଉ କ୍ରିକେଟକୁ ଫେରି ପାରୁ ନାହନ୍ତି ପୃଥ୍ୱୀ ଶ ।
ପୃଥ୍ୱୀ ଭାରତ ପାଇଁ ୫ ଟେଷ୍ଟ, ୬ ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି । ସେ ୨୦୨୦ ମସିହାରେ ତାଙ୍କର ନିଜ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ଆଉ ୨୦୨୧ରେ ଦ୍ନିକିଆ ଓ ଟି-୨୦ର ଶେଷ ମ୍ୟାଚ ଖେଳିଥିଲେ । ଏମିତିକି ୨୦୨୫ ଆଇପିଏଲ ମେଗା ଅକ୍ସନରେ ସେ ଅନସୋଲ୍ଡ ରହିଛନ୍ତି । ତାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନଥିଲେ । ଘରୋଇ ଫର୍ମାଟର ସବୁଠାରୁ ପ୍ଲାଟଫର୍ମ ରଣଜୀ ଟ୍ରଫିରେ ମଧ୍ୟ ତାଙ୍କୁ ଚୟନକର୍ତ୍ତା ଅଣଦେଖା କରିଥିଲେ । କୁହାଯାଉଛି ପୃଥ୍ୱୀ ଶ ଏକ ପ୍ରକାର କ୍ରିକେଟରୁ ଦୂରେଇ ଯାଇଛନ୍ତି ।
ପୂର୍ବରୁ ନଜିର ରହିଛି ୨୦୧୨ ଅଣ୍ଡର ୧୯ ବିଶ୍ୱକପ ବିଜେତା ଦଳ ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କ କ୍ୟାରିୟରର କେମିତି ଖରାପ ହୋଇଥିଲା । ସେ ବି ଭାରତୀୟ କ୍ରିକେଟରୁ ଏକ ପ୍ରକାରର ଦୂରେଇଯାଇଥିଲେ । ତେବେ ପୃଥ୍ୱୀ ଶ କଣ ହୋଇଯିବେ କି ଦ୍ବିତୀୟ ଚାନ୍ଦ? ପୃଥ୍ବୀ ଶ’ଙ୍କ ପାଇଁ କାଳ ହୋଇଗଲା କି ବିବାଦ? କାହିଁକି ବିଶ୍ୱବିଜେତାଙ୍କୁ କରାଯାଉଛି ଅଣଦେଖା? ପୃଥ୍ୱୀ ଶ ଆଉ ଫେରିବେ ନା ଉନ୍ମକ୍ତ ଚାନ୍ଦଙ୍କ ଭଳି ଶେଷ ହୋଇଯିବ ତାଙ୍କ କ୍ୟାରିୟର ।