କନକ ବ୍ୟୁରୋ: ସରକାରଙ୍କ ମୁହଁରେ ଗୋଟିଏ କଥା, ବିଜେପି ସଭାପତିଙ୍କ ମୁହଁରେ ଗୋଟିଏ କଥା । ଚିଟ୍ଫଣ୍ଡ୍ ଟଙ୍କା ଫେରସ୍ତ ପାଇଁ ସରକାର ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଥିବା ବେଳେ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଏବେ ବି ମିଳୁନି ସବୁ ଚିଟ୍ଫଣ୍ଡ୍ କାଗଜପତ୍ର । ତେଣୁ ନିର୍ବାଚନ ପ୍ରତିଶ୍ରୁତି ପୂରା କରିବା ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିପାରେ ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଏହି ବୟାନ୍ ଚିଟ୍ଫଣ୍ଡ୍ ଜମାକାରୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଜମାଟଙ୍କା କେବେ ମିଳିବ ସେ ପ୍ରଶ୍ନ ଏବେ ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତଙ୍କ ମନରେ ଉଙ୍କି ମାରିଲାଣି । କାରଣ ଚିଟ୍ଫଣ୍ଡ୍ ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏଯାଏଁ ମିଳୁନି । ଏଥିପାଇଁ ପୂର୍ବ ସରକାର ମୁଣ୍ଡରେ ଅଠା ବୋଳିଛନ୍ତି ମନମୋହନ । ନିର୍ବାଚନ ଫଳାଫଳ ବାହାରିବା ପରେ ଟ୍ରକରେ କାଗଜପତ୍ର କୁଆଡ଼େ ବୁହାଯାଉଥିଲା ? ବୋଲି ପ୍ରଶ୍ନ ଉଠାଇଛନ୍ତି ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତ । ବିଳମ୍ବ ହେଲେ ମଧ୍ୟ ୪୦ ଲକ୍ଷ ଚିଟ୍ଫଣ୍ଡ୍ ଜମାକାରୀଙ୍କୁ ନିଶ୍ଚୟ ଟଙ୍କା ମିଳିବ କହି ସାମାନ୍ୟ ଆଶ୍ୱସ୍ତ କରିଛନ୍ତି ମନମୋହନ ।
ଚିଟ୍ଫଣ୍ଡ୍ ଟଙ୍କା ଫେରସ୍ତ ପାଇଁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ସରକାରକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ଚିଟ୍ଫଣ୍ଡ୍ ପ୍ରତିଶ୍ରୁତି ଏଯାଏଁ ପୂରଣ ହୋଇନି । ଯାହାକୁ ନେଇ ସରକାରକୁ ଘେରିଛନ୍ତି ବିରୋଧୀ । ବିଜେଡି କହିଛି, ଚିଟ୍ଫଣ୍ଡ୍ ଟଙ୍କା ଫେରାଇବେନି ବୋଲି ବିଜେପି ସଭାପତି କାହାଣୀ କହୁଛନ୍ତି । ଟଙ୍କା ଫେରାଇବାକୁ ସରକାରଙ୍କ ମାନସିକତା ନଥିବା କହିଛି କଂଗ୍ରେସ । କାଗଜପତ୍ର ଚୋରି ହୋଇଥିଲେ ଦୋଷୀଙ୍କୁ କାହିଁକି ଧରାଯାଉନି ? ବୋଲି ପ୍ରଶ୍ନ କରିଛି ଜମାକାରୀ ମିଳିତ ମଞ୍ଚ ।
ଗତ ମାର୍ଚ୍ଚ ୨୪ରେ ମୁଖ୍ୟମନ୍ତ୍ରୀ କହିଥିଲେ, ଚିଟ୍ଫଣ୍ଡ୍ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତି ଚାଲିଛି । ଏବେ ବିଜେପି ସଭାପତି କହୁଛନ୍ତି, ଚିଟ୍ଫଣ୍ଡ୍ କାଗଜପତ୍ର ଗାଏବ ହୋଇଯାଇଛି । ତେଣୁ ପ୍ରଶ୍ନ ଉଠୁଛି, ଯଦି କାଗଜପତ୍ର ମିଳୁନି ତେବେ କେଉଁ ଆଧାରରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର?
Follow Us