କନକ ବ୍ୟୁରୋ : ଅସୁରକ୍ଷିତ ହୋଇପଡ଼ିଛି ରାଜ୍ୟର ଅନେକ ପ୍ରସିଦ୍ଧ ମନ୍ଦିର । କେଉଁଠି ସୁରକ୍ଷା ବ୍ୟବସ୍ଥା ଢିଲା ତ’ ଆଉ କେଉଁଠି ବଢ଼ୁଛି ଚୋରି । ନିକଟରେ ଶ୍ରୀମନ୍ଦିର କାନ୍ଥରେ ଦେଖିବାକୁ ମିଳିଥିଲା ଧମକପୂର୍ଣ୍ଣ ଲେଖା । ଅନେକ ସମୟରେ ଶ୍ରୀମନ୍ଦିର ଉପରେ ଉଡ଼ୁଛି ଡ୍ରୋନ୍‌ । ଚଷମାରେ ସ୍ପାଏ କ୍ୟାମେରା ଲଗାଇ ବଡ଼ଦେଉଳ ଭିତରକୁ ଚାଲିଯାଉଛନ୍ତି ଭକ୍ତ । 

Advertisment

କଟକ ଚଣ୍ଡୀ ମନ୍ଦିରର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ମନ୍ଦିର ଅଧପନ୍ତରିଆ ହୋଇ ପଡ଼ିରହିଛି । କାର୍ଯ୍ୟ ଶେଷ ହେବାର ନାଁ ନେଉନାହିଁ । ବର୍ଷା ହେଲେ ମନ୍ଦିର ଭିତରେ ପାଣି ଜମିଯାଉଛି । ସୁରକ୍ଷା ବ୍ୟବସ୍ଥା ବି ଠିକ୍‌ ନାହିଁ । ସେହିପରି କେନ୍ଦୁଝରରେ ମା’ ଘଟଗାଁ ତାରିଣୀ ପୀଠରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । କେବଳ ଘଟଗାଁ ଥାନାର ଦୁଇ ତିନି ଜଣ କନେଷ୍ଟବଳ ଓ ହୋମଗାର୍ଡଙ୍କୁ ନେଇ ଚାଲିଛି ମନ୍ଦିର ସୁରକ୍ଷା । ମା’ଙ୍କ ସୁନା ଅଳଙ୍କାର ରଖାଯାଉଥିବା ଷ୍ଟ୍ରଙ୍ଗ ରୁମକୁ ବି ଆଜି ଯାଏଁ କଂକ୍ରିଟ କରାଯାଇନଥିବା ସୂଚନା ମିଳିଛି । 

ସେହିପରି ଜଗତସିଂହପୁର ମା’ ଶାରଳାଙ୍କ ପୀଠରେ ବି ସମାନ ଅବସ୍ଥା । ମନ୍ଦିରକୁ ସୁରକ୍ଷା ଦେବାକୁ କୌଣସି ବ୍ୟବସ୍ଥା ନାହିଁ । ମନ୍ଦିର ନିକଟରେ ଫାଣ୍ଡି ରହିଥିଲେ ମଧ୍ୟ ନିକଟ ଅତୀତରେ ହୁଣ୍ଡି ଚୋରି, ଅଣହିନ୍ଦୁ ପ୍ରବେଶ ଯୋଗୁଁ ନୀତିକ୍ରାନ୍ତି ବିଭ୍ରାଟ ପରି ଅନେକ ଘଟଣା ଘଟୁଛି । ଯାହାକୁ ନେଇ ମନ୍ଦିର ଅସୁରକ୍ଷିତ ହୋଇପଡ଼ିଛି ।