କନକ ବ୍ୟୁରୋ: ସୁନ୍ଦରଗଡ଼ ବାଙ୍କୋ ପଥର ଖଣିରୁ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ ଘଟଣାକୁ ନେଇ ଚାଲିଛି ଜୋରଦାର ଖାନତଲାସୀ । ଘଟଣାସ୍ଥଳରେ ଏନଆଇଏ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି । କେମିତି, କେଉଁଠି ଓ କିଭଳି ଢଙ୍ଗରେ ବିସ୍ଫୋରକ ଲୁଟ୍ ହୋଇଛି ତାହାର ଟିକିନିକି ତଥ୍ୟ ପ୍ରମାଣ ଏକାଠି କରୁଛି ଏନଆଇଏ । କାହିଁକି ଏତେ ପରିମାଣର ବିସ୍ଫୋରକ ଲୁଟ୍‌ ହୋଇଛି? ଏହା ପଛର ଉଦ୍ଦେଶ୍ୟ କଣ ଅଛି, ସେ ସବୁ ଦିଗରୁ ତନାଘନା କରୁଛି ଏନଆଇଏ ଟିମ୍ । ଏତେ ବିସ୍ଫୋରକ ଲୁଟ୍ କରି ମାଓବାଦୀ କିଛି ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି କି, ତାହାର ଖୋଳତାଡ଼ କରୁଛି ଟିମ୍ । ଗତକାଲି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ତନାଘନା କରିଛନ୍ତି । 

Advertisment

ଅନ୍ୟପଟେ ମାଓବାଦୀଙ୍କ ହାତରେ ବିସ୍ଫୋରକ ଲାଗିଥିବା ସନ୍ଦେହରେ ଡିଭିଏଫ୍ ଓ ଝାଡ଼ଖଣ୍ଡ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି । ଲୁଟ୍ ଘଟଣାର ୪୮ ଘଣ୍ଟା ପରେ ବି ପୁଲିସ ହାତ ଖାଲି । ନିଜେ ଡିଜିପି ଘଟଣାର ତଦାରଖ କରୁଛନ୍ତି । ଏଠି ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବିସ୍ଫୋରକ ସାମଗ୍ରୀ ଟ୍ରକ୍ । ଅନ୍ଧାରରେ ବାଡ଼ି ବୁଲାଉଛି କି ପୋଲିସ? ଏହି ଲୁଟ୍‌ ଘଟଣା ୨୦୦୯ର ସମାନ ଘଟଣାକୁ ମନେପକାଇ ଦେଉଛି । ୨୦୦୯ ଜୁଲାଇ ୧୮ରେ ଠିକ୍ ସମାନ ଢଙ୍ଗରେ ମାଓବାଦୀମାନେ ରାଉରକେଲାର ଚମ୍ପାଝରନ୍‌ଠାରେ ବିସ୍ଫୋରକ ଗାଡ଼ିକୁ ଲୁଟି ନେଇଥିଲେ । ଏହି ସମୟରେ ମାଓବାଦୀମାନେ କୋଇଡା ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ସବ୍‌ଇନ୍‌ସପେକ୍ଟର ଅଜିତ ବର୍ଦ୍ଧନଙ୍କୁ ମଧ୍ୟ ନିର୍ମମ ଭାବେ ହତ୍ୟା କରିଥିଲେ । ଏବେ ମଙ୍ଗଳବାର ଦିନ ସୁନ୍ଦରଗଡ଼ ବଡ଼ଗାଁ ଥାନା ଇତମା ଗାଁରେ ଥିବା ବାରୁଦ ଗୋଦାମରୁ ୨୫ କେଜିଆ ୨୦୦ ପ୍ୟାକେଟ ବାରୁଦ ଏକ ସ୍ପେସିଆଲ ଟ୍ରକ୍‌ରେ ଲୋଡ୍ ହୋଇ କେ.ବଲାଙ୍ଗ ଥାନା ଅଂଚଳର ବାଙ୍କ ପଥର ଖଣିକୁ ଯାଉଥିଲା । ସେଠାରେ ଅନଲୋଡ ହେବା ବେଳେ ମାଓବାଦୀ ପହଞ୍ଚି ବନ୍ଧୁକ ମୁନରେ ଡ୍ରାଇଭର ଓ ପଥର ଖଣି କର୍ମଚାରୀଙ୍କୁ ପୁଣି ଗାଡ଼ିରେ ବାରୁଦକୁ ଲୋଡ କରିବା ପାଇଁ କହିଥିଲେ । ସେଠାରୁ ଜଙ୍ଗଲ ମଧ୍ୟକୁ ଗାଡି ନେଇଥିଲେ । ସେଠାରେ ୪୦ରୁ ଅଧିକ ମାଓବାଦୀ ସମସ୍ତ ୨୦୦ ପେଟି ବାରୁଦ ନେଇ ଜଙ୍ଗଲକୁ ଚାଲି ଯାଇଥିଲେ ।