କନକ ବ୍ୟୁରୋ: କୁଆଡେ ଗଲା ବିଜେଡିର ଛାୟା କ୍ୟାବିନେଟ ? ବିଜେପି ସରକାର ଜୁନ ୧୨ ତାରିଖରେ ବର୍ଷପୂର୍ତ୍ତି ପାଳନ କରିବାକୁ ଦମଦାର ପ୍ରସ୍ତୁତି କରୁଥିବା ବେଳେ ହାତବାନ୍ଧି ବସିଛି ବିଜେଡିର ଛାୟା କ୍ୟାବିନେଟ । ବିଧାନସଭା ଭିତରେ ହେଉ କି ବାହାରେ, ସରକାରଙ୍କ ଗୋଟିଏ ବି ଦୁର୍ବଳତାକୁ ବାହାରକୁ ଆଣିପାରିନି ବିଜେଡିର ଛାୟା କ୍ୟାବିନେଟ । ୨୪ ବର୍ଷ ଧରି ଶାସନ କରିବାର ଅଭିଜ୍ଞତା ଧରି ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ୫୦ ବିଧାୟକଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଥିଲା । ନୂଆ ସରକାର ବର୍ଷପୂର୍ତ୍ତି ପାଇଁ ସଜବାଜ ହେଉଛନ୍ତି । ଜୋରସୋରରେ ପ୍ରସ୍ତୁତି ଚାଲିଛି । ବିଭାଗୱାରୀ ରିପୋର୍ଟ କାର୍ଡ ପ୍ରସ୍ତୁତ କରି ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ବିଜେପି । ବିଜେଡିର ଛାୟା କ୍ୟାବିନେଟ କିନ୍ତୁ ହାତବାନ୍ଧି ବସିଛି । କୌଣସି ବିଭାଗ ନେଇ ଗୋଟିଏ ରିପୋର୍ଟ ବି ପ୍ରସ୍ତୁତ କରିନାହାନ୍ତି ବିଜେଡି ନେତା ।
ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍, ରାସନକାର୍ଡର ଇ-କେୱାଇସି ଏହି ଦୁଇ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲୁସ୍ତୁଲୁ ହୋଇଛି । କିନ୍ତୁ ଏହି ବିଭାଗ ଦାୟିତ୍ବରେ ଥିବା ଛାୟା କ୍ୟାବିନେଟରେ ଦୁଇ ନେତା ରମେଶଚନ୍ଦ୍ର ବେହେରା ଓ ନିରଞ୍ଜନ ପୂଜାରୀ କିନ୍ତୁ ପ୍ରଭାବୀ ଢଙ୍ଗରେ ପ୍ରସଙ୍ଗକୁ କାଉଣ୍ଟର କରିପାରିନାହାନ୍ତି । କମିଟି ଘୋଷଣା କରି ଚୁପ ବସିଯାଇଛି ବିଜେଡି । ବିଧାନସଭା ଭିତରେ ଓ ବାହାରେ ଛାୟା କ୍ୟାବିନେଟର ସ୍ବର ହିଁ ଶୁଣିବାକୁ ମିଳିନାହିଁ । ଜୁନ୍ ୧୨ରେ ବିଜେପି ସରକାରର ଏକବର୍ଷ ପୂର୍ତ୍ତି ହେବ । କିନ୍ତୁ ବିରୋଧୀ ଦଳ ହିସାବରେ ବିଜେଡି ପ୍ରଭାବହୀନ ରହିଛି । ବର୍ଷପୂର୍ତ୍ତିରେ ବିଜେଡିର କି ରଣନୀତି ରହିବ, ତା ଉପରେ ସମସ୍ତଙ୍କ ନଜର ରହିଛି ।