କନକ ବ୍ୟୁରୋ : କୁଆଡ଼େ ଗଲା ତୀରବିଦ୍ଧ ହାତୀ ? ୨ ଦିନ ହେଲାଣି ମିଳୁନି ପତ୍ତା । ବାରିପଦା ବନଖଣ୍ଡ ଅଧୀନ ବେତନଟୀ ବନ୍ୟାଞ୍ଚଳରେ ଗତ ୪ ଦିନ ଧରି ତୀରମାଡ଼ରେ ଆହତ ହୋଇ ଯନ୍ତ୍ରଣାରେ ଘୁରି ବୁଲୁଛି ଏକ ଦନ୍ତା ହାତୀ । ହେଲେ ବନ ବିଭାଗ ତା’ର ଟେର ପାଉନି କି ହାତୀଟିର ଚିକିତ୍ସା ହୋଇପାରୁନି । ଆହତ ହାତୀଟି ୪୨ ଟିକିଆ ହାତୀପଲ ସହିତ ରହୁଥିବାରୁ ତା’ର ଆଖପାଖକୁ ପହଞ୍ଚି ପାରୁନି ବନ ବିଭାଗ । ଦିନକୁ ଦିନ ହାତୀ ପ୍ରତି ଵିପଦ ମାଡ଼ି ଆସୁଥିବା ବେଳେ ଖୋଜା ଚାଲିଛି ବୋଲି ସଫେଇ ଦେଇଛନ୍ତି ବନ କର୍ମଚାରୀ । ବେତନଟୀ ରେଞ୍ଜର ଜାମଶୁଳି ଜଙ୍ଗଲରେ ୩ ଦିନ ପୂର୍ବରୁ ଗାଁ ପାଖ ଧାନ ବିଲକୁ ପଶିଥିଲେ ଏହି ହାତୀପଲ । ଲୋକେ ଘଉଡ଼ାଇବାକୁ ଯାଇ ଦନ୍ତାଟିର ଏଭଳି ତୀରବିଦ୍ଧ ଅବସ୍ଥା ଦେଖିବାକୁ ପାଇଥିଲେ । ଏ ନେଇ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗର କର୍ମଚାରୀ ହାତୀକୁ ଖୋଜିବା ଆରମ୍ଭ କରିଥିଲେ । ହାତୀଟି ଏବେ ଜଙ୍ଗଲ ମଧ୍ୟରେ ପଲ ସହ ରହିଥିବା କାରଣରୁ ଗତ ୩ ଦିନ ଧରି ଖୋଜାଖୋଜି ଜାରି ରଖିଥିଲେ ସୁଦ୍ଧା ହାତୀଟିର ଟେର୍ ପାଉନି କି ତା’ର ଚିକିତ୍ସା ଆରମ୍ଭ ହୋଇପାରୁନାହିଁ ।