କନକ ବ୍ୟୁରୋ: ସୁନ୍ଦରଗଡ଼ ବାଙ୍କୋ ପଥର ଖଣିରୁ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଟ୍ରକ୍ କୁଆଡେ ଗଲା? ବିସ୍ଫୋରକ ସାମଗ୍ରୀ ଯଦି ମାଓବାଦୀ ଲୁଟିଛନ୍ତି, ତା’ ହେଲେ ଏହା ଏକ ସାଙ୍ଘାତିକ ସ୍ଥିତି । ଗତକାଲି ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ତନାଘନା କରିଛନ୍ତି । ଅନ୍ୟପଟେ ମାଓବାଦୀଙ୍କ ହାତରେ ବିସ୍ଫୋରକ ଲାଗିଥିବା ସନ୍ଦେହରେ ଡିଭିଏଫ୍ ଓ ଝାଡ଼ଖଣ୍ଡ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ତେବେ ଲୁଟ୍ ଘଟଣାର ୩୬ ଘଣ୍ଟା ପରେ ବି ପୁଲିସ ହାତ ଖାଲି । ନିଜେ ଡିଜିପି ଘଟଣାର ତଦାରଖ କରୁଛନ୍ତି । ତେଣୁ ଏଠି ପ୍ରଶ୍ନ ଉଠୁଛି, କୁଆଡେ ଗଲା ବିସ୍ଫୋରକ ସାମଗ୍ରୀ ଟ୍ରକ୍? ଅନ୍ଧାରରେ ବାଡ଼ି ବୁଲାଉଛି କି ପୁଲିସ?
ଏହି ଲୁଟ୍ ଘଟଣା ୨୦୦୯ର ସମାନ ଘଟଣାକୁ ମନେପକାଇଦେଉଛି । ୨୦୦୯ ଜୁଲାଇ ୧୮ରେ ଠିକ୍ ସମାନ ଢଙ୍ଗରେ ମାଓବାଦୀମାନେ ରାଉରକେଲାର ଚମ୍ପାଝରନଠାରେ ବିସ୍ଫୋରକ ଗାଡ଼ିକୁ ଲୁଟି ନେଇଥିଲେ । ଏହି ସମୟରେ ମାଓବାଦୀମାନେ କୋଇଡା ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ସବ୍-ଇନ୍ସପେକ୍ଟର ଅଜିତ ବର୍ଦ୍ଧନଙ୍କୁ ମଧ୍ୟ ନିର୍ମମ ଭାବେ ହତ୍ୟା କରିଥିଲେ । ଏବେ ମଙ୍ଗଳବାର ଦିନ ସୁନ୍ଦରଗଡ଼ ବଡ଼ଗାଁ ଥାନା ଇତମା ଗାଁରେ ଥିବା ବାରୁଦ ଗୋଦାମରୁ ୨୫ କେଜିଆ ୨୦୦ ପ୍ୟାକେଟ ବାରୁଦ ଏକ ସ୍ପେଶାଲ ଟ୍ରକରେ ଲୋଡ୍ ହୋଇ କେବଲାଙ୍ଗ ଥାନା ଅଞ୍ଚଳର ବାଙ୍କ ପଥର ଖଣିକୁ ଯାଉଥିଲା । ସେଠାରେ ଅନଲୋଡ୍ ହେବାବେଳେ ମାଓବାଦୀ ପହଞ୍ଚି ବନ୍ଧୁକ ମୁନରେ ଡ୍ରାଇଭର୍ ଓ ପଥର ଖଣି କର୍ମଚାରୀଙ୍କୁ ପୁଣି ଗାଡ଼ିରେ ବାରୁଦକୁ ଲୋଡ୍ କରିବା ପାଇଁ କହିଥିଲେ । ସେଠାରୁ ଜଙ୍ଗଲ ମଧ୍ୟକୁ ଗାଡ଼ି ନେଇଥିଲେ । ସେଠାରେ ୪୦ରୁ ଅଧିକ ମାଓବାଦୀ ସମସ୍ତ ୨୦୦ ପେଟି ବାରୁଦ ନେଇ ଜଙ୍ଗଲକୁ ଚାଲି ଯାଇଥିଲେ ।