କନକ ବ୍ୟୁରୋ : ଏବେ ଯାଏଁ ବିଶ୍ୱବିଦ୍ୟାଳୟକୁ ମିଳିଲେନି କୁଳପତି । ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ପଦ ଖାଲି ପଡ଼ିଛି । ଯାହାଫଳରେ ୧୩ଟି ବିଶ୍ୱବିଦ୍ୟାଳୟ ପାଇଁ ନାଁ ସର୍ଟଲିଷ୍ଟ ହୋଇ ରାଜ୍ୟପାଳଙ୍କ ପାଖକୁ ପଠାଯାଇଛି । ହେଲେ କେବେ ସୁଦ୍ଧା ଚୂଡାନ୍ତ ତାଲିକା ପ୍ରକାଶ ପାଇବ ତାକୁ ନେଇ ଉଠିଛି ପ୍ରଶ୍ନ ।
ଚଳିତ ଶିକ୍ଷାବର୍ଷ ସରିବାକୁ ବସିଥିବା ବେଳେ ଏଯାଏଁ ଶେଷ ହେଲାନି କୁଳପତି ନିଯୁକ୍ତି ପ୍ରକ୍ରିୟା । ଭାରପ୍ରାପ୍ତ କୁଳପତିଙ୍କ ଭରସାରେ ଚାଲିଛି ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟ । ଫଳରେ ପ୍ରଭାବିତ ହୋଇଛି ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ । ଦୀର୍ଘ ଦିନ ହେଲା ନିଯୁକ୍ତି ପ୍ରକ୍ରିୟା ଚାଲିଛି । ହେଲେ କେବେ ସରିବ ତାର ଉତ୍ତର ଯେମିତି କାହା ପାଖରେ ନାହିଁ । ନିୟମିତ କୁଳପତିଙ୍କ ବିନା ସ୍ଥାଣୁ ପାଲଟିଛି ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବ୍ୟବସ୍ଥା । ବିକାଶ କ୍ଷେତ୍ରରେ ନିଷ୍ପତ୍ତି ନେବାରେ ପଛଘୁଞ୍ଚା ଦେଉଛନ୍ତି ଭାରପ୍ରାପ୍ତ କୁଳପତି । ପିଲାଙ୍କ ପାଠପଢ଼ା ସହ ବାଧାପ୍ରାପ୍ତ ହୋଇଛି ବିଶ୍ୱବିଦ୍ୟାଳୟରେ ଗବେଷଣା । ଆଇନ ଅନୁସାରେ ତୁରନ୍ତ ପଦବୀ ପୂରଣ ହେବ ବୋଲି ଆଶା ଥିବା କହିଛନ୍ତି ଅଧ୍ୟାପକ ।
ଅଧିକ ପଢ଼ନ୍ତୁ : ଅଦାଲତ ଅବମାନନା ମାମଲା ; ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନୋଟିସ୍
କୁଳପତି ନିଯୁକ୍ତି ସରୁ ନଥିବାରୁ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ି ପାରୁନି । ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ୨୦୭୩ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ରହିଛି । ସେଥିରୁ ୧୪୦୪ଟି ପଦବୀ ଖାଲି ପଡ଼ିଛି । ସେହିପରି ସରକାରୀ ଡିଗ୍ରି କଲେଜରେ ଥିବା ୨୪୦୭ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀରୁ ୭୬୦ଟି ପଦବୀ ଖାଲି ପଡ଼ିଛି । ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ୭୧୧୦ଟି ପଦବୀରୁ ୧୯୮୩ଟି ପଦବୀ ଖାଲି ପଡ଼ିଛି । କେବଳ ସେତିକି ନୁହେଁ । ୧୭ଟି ବିଶ୍ୱବିଦ୍ୟାଳୟରେ ୩୧୭୪ଟି ଅଣଶିକ୍ଷକ ପଦବୀ ଥିବା ବେଳେ ୨୨୮୬ଟି ପଦବୀ ଖାଲି ରହିଛି ।
ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକୁ ବିଶ୍ୱସ୍ତରୀୟ କରିବାକୁ ସ୍ୱପ୍ନ ଦେଖାଉଛନ୍ତି ସରକାର । କିନ୍ତୁ ନାନା ଅବ୍ୟବସ୍ଥା ଭିତରେ ରହିଛି ବିଶ୍ୱବିଦ୍ୟାଳୟ । ଯାହା ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/11/vc-appointment-2026-02-11-22-08-59.jpg)