କନକ ବ୍ୟୁରୋ : ଝାରସୁଗୁଡ଼ାରେ ପଶ୍ଚିମ ଓଡ଼ିଶାର ପ୍ରଥମ ସରକାରୀ ସୁପରସ୍ପେସାଲିଟି ହାର୍ଟ ହସ୍ପିଟାଲ୍‌ର ପରିକଳ୍ପନା ହୋଇଥିଲା । କଳାହାଣ୍ଡିରୁ ସୁନ୍ଦରଗଡ଼ ସମସ୍ତ ଅଂଚଳର ହୃଦରୋଗୀଙ୍କୁ ଝାରସୁଗୁଡ଼ାରେ ଉତ୍ତମ ଚିକିତ୍ସା ମିଳିବ । କିନ୍ତୁ ସେମିତି କିଛି ହେଲାନି । ହସ୍ପିଟାଲକୁ ଏପର୍ଯ୍ୟନ୍ତ ଲାଇସେନ୍ସ ମିଳିପାରିନି । ଗତ ଫେବୃଆରୀ ୨୬ରେ ହସ୍ପିଟାଲର ଶୁଭାରମ୍ଭ କରାଯାଇ ମାର୍ଚ୍ଚ ୧ରୁ ଓପିଡ଼ି ସେବା ମିଳୁଛି । ତାହା ନାମକୁ ମାତ୍ର ।  ଆବଶ୍ୟକ ଡ଼ାକ୍ତର ନଥିବାରୁ ୫ ଜଣ ଡ଼ାକ୍ତରରେ ଦୈନିକ ମାତ୍ର ୨ ଘଣ୍ଟା ଚିକିତ୍ସା ଯୋଗାଇ ଦେଉଛନ୍ତି । ସପ୍ତାହକୁ ୨ ଦିନ ହୃଦରୋଗ ଓ ୩ ଦିନ ଦନ୍ତ ଚିକିତ୍ସା କରାଯାଉଛି । ଗତ ମାର୍ଚ୍ଚ ୧ରୁ ସେପ୍ଟେମ୍ବର ୨୯ ଭିତରେ ହସ୍ପିଟାଲକୁ ୨୮୩ ଜଣ ରୋଗୀ ଆସିଛନ୍ତି । ସରକାରୀ ଡାକ୍ତରଖାନାରେ ଫି’ ଦେଇ ଡାକ୍ତର ଦେଖାଇଛନ୍ତି । 

Advertisment

 ଝାରସୁଗୁଡ଼ା ସୁପରସ୍ପେଶାଲିଷ୍ଟ ହାର୍ଟ ହସ୍ପିଟାଲ ପାଇଁ ୨୦୧୬ ଡ଼ିସେମ୍ବର ୨୪ରେ ରାଜ୍ୟ ସରକାର ଓ ମେସର୍ସ କ୍ୱାଲିଟି କେୟାର ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ଚୁକ୍ତି ହୋଇଥିଲା ।  ୭୫ କୋଟି ବ୍ୟୟରେ ହସ୍ପିଟାଲର ନିର୍ମାଣ କାମ ଆରମ୍ଭ ହୋଇଥିଲା ।  କିନ୍ତୁ ୨୦୨୧ରେ କେୟାର ହସ୍ପିଟାଲ ଚୁକ୍ତିରୁ ଓହରିଯିବାରୁ, ଚଳିତବର୍ଷ ବିଏମଆରସି ହସ୍ପିଟାଲ ନେବା ପାଇଁ ଚୁକ୍ତି କରିଛି ।  ହସ୍ପିଟାଲ କାର୍ଯ୍ୟକ୍ଷମ  ହେବା ପୂର୍ବରୁ ବିଏମଆରସି ସଂସ୍ଥା ବିଦ୍ୟୁତ୍ ବିଲ୍ ବାବଦକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୫୦ ଲକ୍ଷ ୫୭ ହଜାର ୫୮୨ ଟଙ୍କା ନେଇଥିବା ତଥ୍ୟ ସାମ୍ନାକୁ ଆସିଛି ।

ପୂର୍ବ ସରକାର ଡାକ୍ତରଖାନା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ନକରି ନିର୍ବାଚନ ପୂର୍ବରୁ ତରବରିଆ ଭାବରେ ହସ୍ପିଟାଲ ଉଦଘାଟନ କରିଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି।