କନକ ବ୍ୟୁରୋ : ମଣପ୍ପୁରମ ସୁନା ଡକାୟତି ଘଟଣାରେ ପୋଲିସର ହାତ ଖାଲି । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ସତ, କିନ୍ତୁ ଏବେବି ଲୁଟ୍ ସୁନା ଉଦ୍ଧାର ହୋଇପାରିନି । ସେପଟେ ଡକାୟତିର ଚେର କେଉଁ ଯାଏଁ ଲମ୍ୱିଛି ତାର ଖୋଳତାଡ ପୋଲିସ କରିବା ଦରକାର ବୋଲି ସାଧାରଣରେ ଦାବି ହୋଇଛି ।
ମଣପ୍ପୁରମ୍ ଗୋଲ୍ଡ ଫିନାନ୍ସରୁ ଲୁଟ୍ ଘଟଣାରେ ପୋଲିସ ନିରାଶ । ୨ଜଣଙ୍କୁ ବାନ୍ଧି ପୋଲିସ ବସିପଡ଼ିଛି । ବିହାରରୁ ତଦନ୍ତ କରି ସମ୍ବଲପୁର ପୋଲିସ ଫେରିଛି, ହେଲେ ଚୋରୀ ସୁନା ମିଳିପାରିଲାନି । ଯାହାକୁ ନେଇ ଆଶଙ୍କାରେ ଜମାକାରୀ । ଗିରଫ ୨ଜଣଙ୍କୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚୁରା କରିବା ପରେ ମଧ୍ୟ ଲୁଟ୍ ସୁନାର ଟେର୍ ପାଉନି । କେବଳ ଗୋଟିଏ ବନ୍ଧୁକ ଜବତ କରିପାରିଛି । ସେପଟେ ପୋଲିସର ପାରିବା ପଣିଆକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି । ଜେଲ୍ ଭିତରେ ରହି ଏତେ ବଡ଼ ଲୁଟ୍ ଘଟଣାକୁ ଅପରେଟ୍ କେମିତି କଲେ ଅପରାଧୀ? ଲୁଟ୍ ପରେ କାହିଁକି ଗ୍ୟାଙ୍ଗ ଲିଡରର ଟେର୍ ପାଉନି ପୋଲିସ? କେମିତି ପୋଲିସକୁ ଚକମା ଦେଇ ଏତେ ବଡ଼ ନେଟୱର୍କ ଚାଲିଛି? କୁଆଡେ ଗଲା ଚୋରୀ ସୁନା? ମାଷ୍ଟରମାଇଣ୍ଡ ଜେଲ୍ ଭିତରେ, ଗିରଫ ଦୁଇଜଣଙ୍କ ପାଖରେ ସୁନା ନାହିଁ । ଏବେ କେମିତି ମିଳିବ ଡକାୟତି ସୁନା ତାକୁ ନେଇ ଆଶଙ୍କା ଦେଖାଦେଇଛି ।