କନକ ବ୍ୟୁରୋ: ସ୍ମାର୍ଟ ସିଟି ରାଉରକେଲା । ପୌରପାଳିକାରୁ ମହାନଗର ହେଇ ସାରିଲାଣି ହେଲେ ଏଯାଏଁ ଏଠି ନିର୍ବାଚନ ହେଇ ପାରିନାହିଁ । ସହର ସ୍ମାର୍ଟ ହେଇଗଲା, କିନ୍ତୁ ସହରବାସୀ ଏଯାଏଁ ନିଜ ପସନ୍ଦର ମେୟର ବାଛି ପାରୁନାହାଁନ୍ତି । ନ୍ୟାୟାଳୟରେ ଝୁଲୁଛି ନିର୍ବାଚନର ଭାଗ୍ୟ। ଯେଉଁଥିପାଇଁ ସରକାରୀ ଅଧିକାରୀଙ୍କ ଏକଛତ୍ରବାଦ୍ ଶାସନ ରାଉରକେଲାରେ ଜାରି ରହିଛି ।
କେବେ ହେବ ସ୍ମାର୍ଟ ସିଟି ରାଉରକେଲା ମହାନଗର ନିଗମ ନିର୍ବାଚନ ? କେବେ ସ୍ମାର୍ଟ ସିଟି ବାସୀ ବାଛିବେ ନିଜ ମନ ପସନ୍ଦର ମେୟର ଓ କର୍ପୋରେଟର? ଆଉ କେବେ ଲାଗିବ ପ୍ରଶାସନର ଏକଚାଟିଆ ଶାସନ ଉପରେ ବ୍ରେକ୍ ? ପାଖାପାଖି ଏକ ଦଶନ୍ଧି ହେଇଗଲାଣି, ହେଲେ ଏ ପ୍ରଶ୍ନର ଉତ୍ତର ପାଇପାରୁନାହାନ୍ତି ରାଉରକେଲା ସ୍ମାର୍ଟ ସିଟି ବାସୀ । ତଥ୍ୟ ଅନୁସାରେ ୨୦୧୩ରେ କାର୍ଯ୍ୟକାଳ ସରିବା ପରଠାରୁ ରାଉରକେଲାରେ ଆଉ ପୌର ନିର୍ବାଚନ ହୋଇନାହିଁ। ପ୍ରଶାସକ ସାଜିଛନ୍ତି ଭାଗ୍ୟ ବିଧାତା। ଯାହା ଫଳରେ ଅନେକ ବିକାଶ ମୂଳକ କାର୍ଯ୍ୟ ଅଧପନ୍ତରିଆ ହୋଇପଡିଛି। ଏହାକୁ ନେଇ ପୂର୍ବ ସରକାରକୁ ବିଜେପି ଦୋଷ ଦେଇଥିବାବେଳେ, ଅସନ୍ତୋଷ ଝାଡିଛନ୍ତି ସହରବାସୀ ।
୨୦୧୪ ନଭେମ୍ବର ୧୪ ତାରିଖରେ ରାଉରକେଲା ପୌରପାଳିକାରୁ ମହାନଗର ନିଗମ ହେଲା । ୨୦୦୮ ରେ ଶେଷ ଥର ପାଇଁ ରାଉରକେଲା ପୌରପାଳିକାର ନିର୍ବାଚନ ହୋଇଥିଲା । ସେତବେଳେ ୱାର୍ଡସଂଖ୍ୟା ୩୩ଥିଲା । ପରେ ୨୦୧୪ରେ ମହାନଗର ନିଗମ ହେବାପରେ, ସୀମା ନିର୍ଦ୍ଧା ରଣ ହୋଇ ୱାର୍ଡ ସଂଖ୍ୟା ୪୦ ହେଲା । ଏହି ସମ୍ମିଶ୍ରଣକୁ ବିରୋଧ କରି ଝାଡ଼ତରଙ୍ଗ ଓ ଜଗଦା ପଂଚାୟତବାସୀ ଉଚ୍ଚ ନ୍ୟାୟାଳୟରେ ଏକ ଜନ ସ୍ୱାର୍ଥ ମାମଲା ଦାୟର କରିଥିଲେ। ମାମଲାକୁ ବିଚାର କରି ଉଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରିଥିଲେ। ଯାହାକୁ ଆଳ କରି ଏପର୍ୟ୍ୟନ୍ତ ହୋଇପାରୁନି ନିର୍ବାଚନ । ଏବେ ପ୍ରଶ୍ନ ଉଠୁଛି, ଆର୍ଏମ୍ସି ନିର୍ବାଚନ ଉପରେ କୋର୍ଟ ରହିତାଦେଶ ଜାରି କରିନଥିବାରୁ କାହିଁକି ହେଉନି ଭୋଟ? ଯଦି ପୂର୍ବ ସରକାର ପ୍ରୟାସ କରିଥିଲେ ତାହାଲେ ଏତେ ଡେରି କାହିଁକି ହେଲା? ଆଉ ଏବେ ନୂଆ ସରକାର ଏ ଦିଗରେ ପ୍ରୟାସ କରିବେ ତ ?