କନକ ବ୍ୟୁରୋ: କେବେ ସରିବ ରାଜ୍ୟ କଂଗ୍ରେସ ସଭାପତି ଚୟନ । ଏହାକୁ ନେଇ ରାଜ୍ୟ କଂଗ୍ରେସ କର୍ମୀ ଅନାଇ ବସିଛନ୍ତି । କିନ୍ତୁ ସମୟ ଗଡୁଥିବାରୁ ନୂଆ ରଣନୀତି ସହ ଦଳ ଆଗକୁ ବଢିବା ଚ୍ୟାଲେଞ୍ଜ ହୋଇଛି।  ଆଗକୁ ଯିଏ ବି ସଭାପତି ହେବେ ତାଙ୍କୁ ସଙ୍ଗଠନ ମଜବୁତ କରିବାକୁ ପୁଣି ମୂଳରୁ କାମ କରିବାକୁ ପଡିବ । 

Advertisment

୬ ମାସ ପୁରିଗଲା, କିନ୍ତୁ ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ । ବ୍ଲକରୁ ଆରମ୍ଭ କରି ଭୁବନେଶ୍ୱର ଯାଏଁ ସଙ୍ଗଠନ କାମ ପୁରା ଠପ ହୋଇଯାଇଛି ।  ମୀନାକ୍ଷୀ ନଟରାଜନ ଓ  ଚରଣ ଦାସ ମହନ୍ତଙ୍କ ଭଳି ୨ ଜଣିଆ ସର୍ଚ୍ଚ କମିଟି ଭୁବନେଶ୍ବର ଆସି ବିଚାରବିମର୍ଷ କରି କେନ୍ଦ୍ରୀୟ ନେତୃତ୍ବକୁ  ରିପୋର୍ଟ ବି ଦେଲେ । ଏହାର ଦୁଇମାସ ପରେ ବି ସଭାପତି ବାଛିପାରିଲା ନାହିଁ କଂଗ୍ରେସ । ରାଜ୍ୟରେ ପିସିସି ସଭାପତି ନାହାନ୍ତି, ଯାହାକୁ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି କର୍ମୀ । ଆଉ ସବୁଠାରୁ ଅଧିକ ଦ୍ବନ୍ଦ୍ବରେ ଅଛନ୍ତି ଭୋଟର । ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟ୍ଟରେ ବିଜେପିକୁ ଚ୍ୟାଲେଞ୍ଜ ଦେଇ ଓଡିଶାରେ ଆଗକୁ ବଢିବାକୁ କଂଗ୍ରେସ ପାଇଁ ବଡ ସୁଯୋଗ ଅଛି । ତେଣୁ ଏବର୍ଷ ନୂଆ ରଣନୀତି ନେଇ ଦଳ ଆଗକୁ ବଢିବ ବୋଲି ନେତା ଆଶାବାଦୀ ଅଛନ୍ତି ।

ସଭାପତି ଚୟନ ବେଳେ କଂଗ୍ରେସ ପୁରୁଣା ମୁହଁକୁ ରିପିଟ କରିଛି । ତେଣୁ ନୂଆବର୍ଷରେ ନୂଆ ମୁହଁ, ନୂଆ ନାଁ  କଂଗ୍ରେସକୁ ନୂଆ ଦିଶା ଦେଖାଇବ ବୋଲି ସମସ୍ତେ ଆଶା ରଖିଛନ୍ତି । ସଭାପତି ରେସରେ ୨ ଜଣଙ୍କ ନାଁ ଚର୍ଚ୍ଚାରେ ରହିଛି । ଭକ୍ତଚରଣ ଦାସ, ମହମ୍ମଦ ମୋକିମ ରେସରେ ଆଗରେ ଅଛନ୍ତି । କିନ୍ତୁ ସରପ୍ରାଇଜ ନାଁ ବି ଆଗକୁ ଆସିପାରେ ।  ଦୁଇଜଣିଆ କମିଟି  କାହା ନାଁ ସୁପାରିଶ କରିଛି ତାକୁ ନେଇ ଚର୍ଚ୍ଚା ଜାରି ରହିଛି । କିନ୍ତୁ ହାଇକମାଣ୍ଡ କାହିଁକି ନାଁ ଘୋଷଣାରେ ବିଳମ୍ବ କରୁଛନ୍ତି ତାହା ଜଣାପଡୁନାହିଁ ।

ନୂଆ ସଭାପତିଙ୍କ ପାଇଁ ୨୦୨୫ ବଡ ଚ୍ୟାଲେଞ୍ଜ ହେବ । ସବୁ ନେତାଙ୍କୁ ଏକାଠି କରି ମଜବୁତ ସଙ୍ଗଠନ ସହ ଆଗକୁ ବଢିବାକୁ ପଡିବ । ତେବେ ପୁରୁଣା ରିପିଟ ହେବେ  ନା ନୂଆ ଚେହେରାକୁ ହାଇକମାଣ୍ଡ ସାମନାକୁ ଆଣିବେ ତା ଉପରେ କର୍ମୀ ଓ ନେତାଙ୍କ ନଜର ରହିଛି ।