କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ବିଜୁଳି ବନ୍ଧ ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ନେବ ନୂଆରୂପ। ଅଧାପନ୍ତରିଆ ଏହି ପ୍ରକଳ୍ପକୁ ପୁଣିଥରେ ସଂପୂର୍ଣ୍ଣ କରିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ହେଲେ ବଡ କଥା ହେଲା ଡିଏମଏଫ ପାଣ୍ଠିରୁ ୨୯ କୋଟି ୯୦ ଲକ୍ଷ ବ୍ୟୟ ବରାଦ କରାଯାଇଥିବା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ସରିଲାଣି ୧୪ କୋଟି। ଆଉ ଏବେ ସଂପୂର୍ଣ୍ଣ କରିବା ପାଇଁ ଖର୍ଚ୍ଚ ହେବ ୨୪କୋଟି । ସେପଟେ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ବିଧାୟକ। ଅନ୍ୟପଟେ ଉପଜିଲ୍ଲାପାଳ କହିଛନ୍ତି ସମସ୍ତ କାମର ଯାଂଚ କରାଯିବ।
ଚାଲିଛି ମାନସ ମନ୍ଥନ। କିପରି ସରିବ ବିଜୁଳିବନ୍ଧ ପ୍ରକଳ୍ପ। ସେ ନେଇ ଜନପ୍ରତିନିଧି, ନାଗରିକ ଏବଂ ଅଧିକାରୀଙ୍କ ଚାଲିଛି ବୈଠକ। ଆର୍ଥିକ ବର୍ଷ ୨୦୨୦-୨୧ରେ ସୁନ୍ଦରଗଡ ସହରର ମଧ୍ୟ ଭାଗରେ ଆରମ୍ଭ ହୋଇଥିଲା ବିଜୁଳି ବନ୍ଧ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ଏହାପାଇଁ ୨୫ କୋଟି ୯୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ପରବର୍ତୀ ସମୟରେ ବ୍ୟୟ ଅଟକଳ ୨୯.୯୦ କୋଟିକୁ ବୃଦ୍ଧି ପାଇଥିଲା। ଠିକା ସଂସ୍ଥା ୱାକପ୍ସ ଲିମିଟେଡକୁ ଦିଆଯାଇଥିଲା କାମ। ଅଧ ପନ୍ତରିଆ କାମ ଯୋଗୁଁ ପ୍ରକଳ୍ପ ବନ୍ଦ ହେବାରୁ କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଇଛି। ସେପଟେ ଯେତିକି କାମ ସରିଛି, ସେଥିପାଇଁ ଖର୍ଚ୍ଚ ହୋଇଛି ୧୪ କୋଟି ଟଙ୍କା। ଠିକା କଂପାନୀର ଉଦାସିନତା ମନୋଭାବ ଯୋଗୁଁ ବର୍ଷ ବର୍ଷ ଧରି ଅଧପନ୍ତରିଆ ଭାବେ ପଡିରହିଥିଲା ପ୍ରକଳ୍ପ। ଆଉ ଏବେ ଏଥିରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ବିଧାୟକ।
ସେପଟେ କାର୍ଯ୍ୟ ବିଳମ୍ବ ଯୋଗୁଁ ଖର୍ଚ୍ଚ ବଢିବାରେ ଲାଗିଛି। ଏବେ ବ୍ୟୟବରାଦ ୩୮ କୋଟି ୯୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଉପଜିଲ୍ଲପାଳ କହିଛନ୍ତି, ପୁରୁଣା କାମର ମାନ ଏବଂ ଖର୍ଚ୍ଚ ଯାଞ୍ଚ କରାଯିବ। ଖୁବଶୀଘ୍ର ପ୍ରକଳ୍ପକୁ ସଂପୂର୍ଣ୍ଣ କରି ସୁନ୍ଦରଗଡ ବାସୀଙ୍କୁ ଭେଟି ଦିଆଯିବ।
ସୁନ୍ଦରଗଡକୁ ସୁନ୍ଦର କରିବା ପାଇଁ ତତ୍କାଳୀନ ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ଡିଏମଏଫ ପାଣ୍ଠିରୁ ଆରମ୍ଭ କରାଯାଇଥିଲା ପ୍ରକଳ୍ପ। ଚାରି ବର୍ଷ ବିତିଗଲା ପରେ ମଧ୍ୟ ତାହା ସଂପୂର୍ଣ୍ଣ ହୋଇପାରିଲା ନାହିଁ। ଆଉ ଏବେ ପୁଣିଥରେ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)