କନକ ବ୍ୟୁରୋ: ସାଧାରଣତଃ ପାଞ୍ଜି ଦେଖି ପର୍ବପର୍ବାଣୀ ପାଳନ କରାଯାଇଥାଏ। ହେଲେ ଚଳିତ ବର୍ଷ ସେହି ପାଞ୍ଜିକୁ ନେଇ ଦେଖା ଦେଇଛି ବଡ଼ ଦ୍ବନ୍ଦ୍ବ। କେତେବେଳେ କାର୍ତ୍ତିକ ବ୍ରତ ତ, କେତେବେଳେ ସୋମନାଥ ବ୍ରତ। ଆଉ ଏବେ ଦୀପାବଳିକୁ ନେଇ ଦେଖାଦେଇଛି ବଡ଼ ଦ୍ବନ୍ଦ୍ବ। ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖ, ଦୁଇ ଦିନ ରହିଛି ଅମାବାସ୍ୟା ତିଥି। ତେବେ କେବେ ପାଳିବେ ଦୀପାବଳି, ଏହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
- କେବେ ପାଳିବେ ଦୀପାବଳି?
- ଦ୍ବନ୍ଦ୍ବ ବଢ଼ାଇଲା ପାଞ୍ଜି
ଆଲୋକର ପର୍ବ ଦୀପାବଳି। ହେଲେ ଏବର୍ଷ କେଉଁ ଦିନ ପାଳିବେ ଦୀପାବଳି, ତାକୁ ନେଇ ଦେଖା ଦେଇଛି ବଡ଼ ଦ୍ବନ୍ଦ୍ବ। ପାଞ୍ଜି ଓ କ୍ୟାଲେଣ୍ଡରେ ପ୍ରଭେଦ ଯୋଗୁ ଦ୍ବନ୍ଦ୍ବ ଦେଖିବାକୁ ମିଳିଛି। କୋହେନୂର କ୍ୟାଲେଣ୍ଡରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଅକ୍ଟୋବର ୩୧ ତାରିଖରେ ପଡୁଛି ଦୀପାବଳି। ସେହିପରି ବିରଜା ପାଞ୍ଜିରେ ମଧ୍ୟ ଅକ୍ଟୋବର ୩୧ ତାରିଖରେ ଦୀପାବଳି ପଡୁଥିବା ଉଲ୍ଲେଖ ରହିଛି। ତେବେ ଅସଲି ଖଡ଼ିରତ୍ନ ପଞ୍ଜିକାରେ ୩୧ରେ ଶ୍ୟାମାକାଳୀ ପୂଜା ଉଲ୍ଲେଖ ରହିଛି। ଆଉ ନଭେମ୍ବର ୧ ତାରିଖରେ ବଡ଼ବଡ଼ିଆ ଡାକ ଓ ଦୀପାବଳି ପାଳନ ହେବା ନେଇ ସୂଚନା ରହିଛି।
ଅମାବାସ୍ୟାରେ କାଳୀ ଜନ୍ମ ତିଥି ହୋଇଥିବାବେଳେ ସେହିଦିନ ରାତିରେ କାଳୀ ପୂଜା ବିଧି ହୋଇଥାଏ। ତେବେ ଚଳିତବର୍ଷ ୩୧ ଅକ୍ଟୋବର ରାତି ୨ଟା ୩୦ ପରଠାରୁ ଆରମ୍ଭ ହେଉଛି ଅମାବାସ୍ୟା। ହେଲେ ୩୧ ତାରିଖରେ ଅମାବାସ୍ୟା ରହୁନଥିବାରୁ ପିତୃକର୍ମ ହୋଇପାରିବ ନାହିଁ। ନଭେମ୍ବର ୧ ତାରିଖ ମଧ୍ୟାହ୍ନରେ ଅମାବାସ୍ୟା ରହୁଥିବାରୁ ସେହିଦିନ ପୟାଶ୍ରାଦ୍ଧ ଦିଆଯାଇପାରିବ। କିଛି କ୍ୟାଲେଣ୍ଡରରେ ଅକ୍ଟୋବର ୩୧ ତାରିଖରେ ଆମବାସ୍ୟା ସୂଚନା ରହିଥିବାରୁ ସେହିଦିନ ସରକାରୀ ଛୁଟି ଘୋଷଣା ହୋଇଛି। କିନ୍ତୁ ଯେଉଁମାନେ ଶ୍ରାଦ୍ଧ ଦେବେ, ତାଙ୍କ ପାଇଁ ଦ୍ଵନ୍ଦ ବଢ଼ିଛି। ତେଣୁ ଏହି ଦ୍ବନ୍ଦ୍ବ ଦୂର କରିବା ପାଇଁ ଦାବି ହୋଇଛି।
କେବଳ ଦୀପାବଳି ନୁହେଁ, ଚଳିତ ବର୍ଷ ସୋମନାଥ ବ୍ରତ ଓ କାର୍ତ୍ତିକ ବ୍ରତକୁ ନେଇ ଦ୍ୱନ୍ଦ ଦେଖିବାକୁ ମିଳିଥିଲା। ଯାହା ପରେ ପାଞ୍ଜି ଅନୁମୋଦନ କରୁଥିବା ପୁରୀ ମୁକ୍ତି ମଣ୍ଡପର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ।