କନକ ବ୍ୟୁରୋ : ବଲାଙ୍ଗୀରରେ ସରୁନି ଦାଦନ ଦୁଃଖ। ଦାଦନ ଦୁଃଖର କେବେ ହେବ ଅନ୍ତ। ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀରର ୨ ଜଣ ଯୁବକଙ୍କ ତାମିଲନାଡୁରେ ମୃତ୍ୟୁ ହୋଇଛି । ପେରାମ୍ବର ଷ୍ଟେସନ ନିକଟ ରେଳଧାରଣାରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦୁଇ ଜଣ ବଲାଙ୍ଗୀର ହାତୀସଲ ପଡ଼ାର ଉମେଶ ପାଣ୍ଡେ ଓ କୁନୁ ବଚ୍ଛୋର। ଦୁହିଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ରୋଜଗାର ଆଶାରେ ନୂଆବର୍ଷ ଦିନ ଚେନ୍ନାଇ ଯାଇଥିଲେ ଦୁଇ ସାଙ୍ଗ । ସେଠାରେ ଏକ କମ୍ପାନିରେ ରହି କାମ କରୁଥିଲେ। କିନ୍ତୁ ଏବେ ରେଳ ଧାରଣା କଡ଼ରୁ ଉଭୟଙ୍କ ମୃତଦେହ ମିଳିଛି । ଭେଣ୍ଡିଆ ପୁଅକୁ ହରାଇବା ପରେ କେମିତି ଘର ଚଳିବ ସେନେଇ ପରିବାର ଲୋକଙ୍କ ଚିନ୍ତା ବଢ଼ିଛି । ମୃତଦେହ ଫେରାଇ ଆଣିବାକୁ ପାଖରେ ଟଙ୍କା ନଥିବାରୁ ସହାୟତା ପାଇଁ ପ୍ରାଶାସନକୁ ନିବେଦନ କରିଛନ୍ତି ଉଭୟଙ୍କ ପରିବାର ଲୋକେ। ସେପଟେ ବଲାଙ୍ଗୀର ପୌରଧ୍ୟକ୍ଷ୍ୟା ଲିକା ସାହୁ ଘଟଣାସ୍ଥଳରେ ପହଞ୍ଚି ସହାୟତା ନେଇ ସାନ୍ତ୍ୱନା ଦେଇଛନ୍ତି । ଏଠି ପ୍ରଶ୍ନ କେବେ ସରିବ ଦାଦନ ସମସ୍ୟା । ଅନ୍ୟ ରାଜ୍ୟକୁ କାହିଁକି ଦାଦନ ଖଟି ଯାଉଛନ୍ତି ଶ୍ରମିକ । ଓଡ଼ିଶାରେ କାହିଁକି ଯୁବକଙ୍କୁ ମିଳିପାରୁନି ନିଯୁକ୍ତି ?