କନକବ୍ୟୁରୋ : ବାଲେଶ୍ଵର ନିୟନ୍ତ୍ରିତ ବଜାର କମିଟି ପରିସରରେ ୫ କୋଟି ୪୦ ଲକ୍ଷ ଟଙ୍କା ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ,ଭୂତକୋଠି ପାଲଟି ଗଲାଣି । ୨୦୨୩ ମସିହାରୁ କାମ ସରିଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇନାହିଁ କି ଦୋକାନ ଘର କାହାକୁ ବଣ୍ଟନ କରାଯାଇନାହିଁ ।
ଏନେଇ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାଲେଶ୍ୱର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପୁରୁଣା ହାଟ ସ୍ଥାନରେ ୫ କୋଟି ୪୦ ଲକ୍ଷ ଟଙ୍କାରେ ୭୫ଟି ଦୋକାନ ଘର ଥିବା ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ତିଆରି ହୋଇଛି । ଓଡ଼ିଶା ଷ୍ଟେଟ୍ ଏଗ୍ରିକଲଚର ମର୍କେର୍ଟିଂ ବୋର୍ଡ ତତ୍ତ୍ଵାବଧାନରେ ୨୦୨୩ ଡିସେମ୍ବର ମାସରୁ କାମ ସରିଥିଲେ ବି ଏଯାଏଁ ଦୋକାନ ଘର ବଣ୍ଟନ ହୋଇନାହିଁ ।
କମ୍ପ୍ଲେକ୍ସ ଭିତରେ ଓ ବାହାରେ ବଣବୁଦାରେ ଭର୍ତ୍ତି ହୋଇ ଭୂତକୋଠି ପାଲଟି ଗଲାଣି । ଗାଈଗୋରୁ ବୁଲୁଛନ୍ତି । ବଲ୍ ଲାଗିଛି, ହେଲେ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ସନ୍ଧ୍ୟା ହେଲେ ଅସାମାଜିକଙ୍କ ଆଡ୍ଡା ଜମୁଛି । ବ୍ୟବସାୟୀଙ୍କୁ ସୁଲଭ ମୂଲ୍ୟରେ ଦୋକାନ ଘର ଯୋଗାଇ ରୋଜଗାରକ୍ଷମ କରିବାକୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ତେବେ ଏଯାଏଁ ,
କାହିଁକି ଦୋକାନ ଘର ବଣ୍ଟନ ହୋଇନାହିଁ ବୋଲି ବାଲେଶ୍ୱର ନିୟନ୍ତ୍ରିତ ବଜାର କମିଟି ସେକ୍ରେଟାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ସେ ଏବେ କାର୍ଯ୍ୟରେ ଯୋଗଦେଇଛନ୍ତି । ତେଣୁ ନିର୍ଦ୍ଦିଷ୍ଟ କାରଣ ଜାଣିନାହାନ୍ତି । ତେବେ ଖୁବଶୀଘ୍ର ଦୋକାନ ଘର ବଣ୍ଟନ କରାଯିବ । କୋଟିକୋଟି ଟଙ୍କାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରି ଦୋକାନ ଘର ବଣ୍ଟନ ନକରିବା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।...