ସୁଭାଷିନୀଙ୍କୁ କେବେ ମିଳିବ ସ୍ଥାୟୀ ଚାକିରି ? କେୟାରଟେକର ଚାକିରି ଅଫର୍ କରିଛି କ୍ରୀଡ଼ା ବିଭାଗ

ଭୁବନେଶ୍ବର ସ୍ପୋର୍ଟ୍ସ ହଷ୍ଟେଲରେ କେୟାର ଟେକର ଚାକିରି, ତା ବି ସ୍ଥାୟୀ ନୁହେଁ, ଠିକା ଚାକିରି । ମାଆର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଖର୍ଚ୍ଚ କରି ବଡ଼ ସହରକୁ ଆସିଥିଲେ ସୁଭାଷିନୀ ।

Subhasini

Subhasini Photograph: (Kanak News)

କନକ ବ୍ୟୁରୋ : ଜଣେ ଜାତୀୟ ସ୍ତରର ଫୁଟ୍‌ବଲରଙ୍କୁ କେୟାର ଟେକର ଚାକିରି ଅଫର୍ , ତା ବି ସ୍ଥାୟୀ ନୁହେଁ, ଠିକା ଚାକିରି । କ୍ରୀଡ଼ା ବିଭାଗ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଏମିତି ଖେଳିଚାଲିଛି । ଆମେ କହୁଛୁ ଫୁଟବଲ୍‌ ଖେଳି ଦିନେ ରାଜ୍ୟ ପାଇଁ ଗୌରବ ଆଣିଥିବା ଫୁଟ୍‌ବଲର ସୁଭାଷିନୀ ବାଗ୍‌ଙ୍କ କଥା । ଯିଏ କି ବଞ୍ଚିବା ପାଇଁ ପ୍ରତ୍ୟେକ ଦିନ କରିଚାଲିଛନ୍ତି ସଙ୍ଘର୍ଷ ।

ଜଣେ ଜାତୀୟ ସ୍ତରର ଫୁଟବଲ୍ ତାରକା ପର ଘରେ ବାସନ ମାଜି ଚଳୁଛନ୍ତି । ତାଙ୍କ ଲୁହ ପୂରା ଓଡ଼ିଶାକୁ ଦେଖାଇଥିଲୁ । ୫୦୦ ଟଙ୍କା ଭଡ଼ା ଦେଇ କେମିତି ସୁଭାଷିନୀ ଓ ତାଙ୍କ ବୃଦ୍ଧ ମାଆ ବାପା ଏକ ଭଙ୍ଗା ଘରେ ପ୍ରତିଶ୍ରୁତିର ଆଶା ବାଡ଼ି ଧରି ପାଦେ ପାଦେ ଚାଲୁଛନ୍ତି , ସେ କଥା ବି ଆପଣଙ୍କ ଓ ସରକାରଙ୍କ ସାମ୍ନାରେ ରଖିଥିଲୁ । ସରକାର କାହାଣୀ ଦେଖିଲେ, କ୍ରୀଡ଼ା ବିଭାଗ ତାଙ୍କୁ ଫୋନ୍‌ କଲା, ଆଉ ଚାକିରି ପାଇଁ ଅଫର୍ ମଧ୍ୟ ଦେଲା । ଭୁବନେଶ୍ବର ସ୍ପୋର୍ଟ୍ସ ହଷ୍ଟେଲରେ କେୟାର ଟେକର ଚାକିରି, ତା ବି ସ୍ଥାୟୀ ନୁହେଁ, ଠିକା ଚାକିରି । ମାଆର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଖର୍ଚ୍ଚ କରି ବଡ଼ ସହରକୁ ଆସିଥିଲେ ସୁଭାଷିନୀ । କିନ୍ତୁ ବୃଦ୍ଧ ବାପା ମାଆ ତାଙ୍କ ବିନା ଚଳିପାରୁନଥିବାରୁ ପୁଣି ଆଖିରେ ଆଖିଏ ଲୁହ ନେଇ ସେ ଫେରିଯାଇଛନ୍ତି । ଆଖପାଖରେ ଏକ ସ୍ଥାୟୀ ଚାକିରି ଦେଲେ ସେ ଉପକୃତ ହେବେ ବୋଲି କହିଛନ୍ତି । 

ଅଧିକ ପଢ଼ନ୍ତୁ--୫ ବର୍ଷରେ ତିଆରି ହେଲା ପୁରୁଷୋତ୍ତମଙ୍କ ମନ୍ଦିର ; ଜାଣନ୍ତୁ ମନ୍ଦିର ଭିତରେ କ'ଣ କ'ଣ ଅଛି ?

ସମ୍ବଲପୁର ଗାନ୍ଧୀପଡ଼ାର ଶୁଭାଷିନୀ ପ୍ରାୟ ୭ ବର୍ଷ ଜାତୀୟ ସ୍ତରରେ ଫୁଟବଲ ଖେଳିଛନ୍ତି । ୨୦୦୮ରେ ଆଣ୍ଠୁରେ ଆଘାତ ଲାଗିବା ପରେ ତାଙ୍କ କ୍ରୀଡ଼ା ଜୀବନରେ ଲାଗିଥିଲା ବିରାମ । ପରେ ସରକାରୀ ଚାକିରି ପାଇଁ ଲଢ଼ି ଲଢ଼ି ଥକି ପଡ଼ିଥିଲେ ଓ ଶେଷରେ ଗୁଜୁରାଟର ଏକ ଫୁଟବଲ ଏକାଡେମୀରେ ପ୍ରଶିକ୍ଷକ ଭାବେ ଚାକିରି କରୁଥିଲେ । କିନ୍ତୁ ବୃଦ୍ଧ ମାଆବାପାଙ୍କ ଦେଖାଶୁଣା କରିବାକୁ କେହି ନଥିବାରୁ ସେ ଫେରିଆସିଥିଲେ ସମ୍ବଲପୁର । ଏବେ ପୁଣି ସରକାରୀ ଚାକିରି ପାଇଁ ଅପେକ୍ଷା କରିଛନ୍ତି । ଏନେଇ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ମଧ୍ୟ ଆମେ ପ୍ରଶ୍ନ କରୁଥିଲୁ । ସରକାର ସମସ୍ତ ବ୍ୟବସ୍ଥା କରିବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe