କନକ ବ୍ୟୁରୋ : ଭୁବନେଶ୍ୱର-କଟକରେ ମେଟ୍ରୋ ଗଡ଼ିବା ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ ଖୁବଶୀଘ୍ର ଦୂର ହେବାକୁ ଯାଉଛି । ମେଟ୍ରୋ ପାଇଁ ନୂଆ ପ୍ରକଳ୍ପ ଘୋଷଣା କରିବାକୁ ଯାଉଛନ୍ତି ମୋହନ ସରକାର । କୁହାଯାଉଛି, ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ମେଟ୍ରୋ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇପାରେ ।
ଏପଟେ ମେଟ୍ରୋ ପ୍ରକଳ୍ପ ପରିସୀମାକୁ ପୂର୍ବ ସରକାର ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ସ୍ଥିର କରିଥିଲେ । ନୂଆ ସରକାର ତ୍ରିଶୂଳିଆରୁ କଟକ ଏବଂ ପରେ ଏସସିବି ମେଡିକାଲ ପର୍ଯ୍ୟନ୍ତ ଏହାର କଳେବର ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ଶ୍ରୀକ୍ଷେତ୍ରକୁ ମଧ୍ୟ ମେଟ୍ରୋ ସଂଯୋଗ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ତେବେ ନୂଆ ସରକାର ନୂଆ ଡିପିଆର୍ ପ୍ରସ୍ତୁତ ପାଇଁ କମିଟି ଗଠନ କରିଛନ୍ତି । ପ୍ରକଳ୍ପ କେମିତି ଲୋକଙ୍କ କାମରେ ଅଧିକ ଆସିପାରିବ ସେନେଇ ମଧ୍ୟ କମିଟି ଅନୁଧ୍ୟାନ କରୁଛି । ନୂଆ ପ୍ରକଳ୍ପ ବାବଦରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ।
୨୦୨୩, ଉତ୍କଳ ଦିବସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ମେଟ୍ରୋ ଟ୍ରେନ ଚାଲିବା ନେଇ ଘୋଷଣା କରିଥିଲେ । ପୂର୍ବ ସରକାର ଯାଇ ନୂଆ ସରକାର ଆସିଲା । ଏହାପରଠୁ ମେଟ୍ରୋ ଟ୍ରେନର ଭବିଷ୍ୟତ ଅନ୍ଧାରରେ ଅଛି । ଏହାରି ଭିତରେ ମେଟ୍ରୋ ନେଇ ନୂଆ ଘୋଷଣା କରି ନୂଆ ଆଶା ସଂଚାର କରିବାକୁ ଯାଉଛନ୍ତି ନୂଆ ସରକାର ।